ଦେବଗଡ, (ବାଘୁଆବାର୍ତ୍ତା): ଫାଇନାନ୍ସ କମ୍ପାନୀର କାର୍ୟ୍ୟାଳୟ ସମ୍ମୁଖରେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତିରେ ଦେବଗଡ଼ ଭାରତ ଫାଇନାନ୍ସ କମ୍ପାନୀର କାର୍ୟ୍ୟାଳୟ ସମ୍ମୁଖରେ ଜଣେ ମହିଳା କର୍ମଚାରୀଙ୍କୁ ୨ ଦୁର୍ବୃତ୍ତ ହତ୍ୟା କରି ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ କୁଚିଣ୍ଡା ଥାନା କୁଣ୍ଡାପୋଷି ଅଞ୍ଚଳର ଜୟନାରାୟଣ ସାହୁଙ୍କ ସାନ ଝିଅ ରିତା ସାହୁ (୨୬ ବର୍ଷ) ବୋଲି ଜଣାପଡ଼ିଛି । ମଙ୍ଗଳବାର ରାତିରେ ରିତା ସାହୁ ଅଫିସ୍ କାମ ସାରି ନିଜ ଘରକୁ ବାହାରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଭୁଷିବା ସହ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ମାଆ ମଞ୍ଜୁ ଦେବୀ ଏନେଇ ଥାନାରେ ଏତଲା ଦେଇଛନ୍ତି । ରିତାଙ୍କର ସମ୍ବଲପୁର ରେଙ୍ଗାଲି ଥାନାଞ୍ଚଳ ପଣ୍ଡଲୋଇ ଅଞ୍ଚଳର ଜଣେ ଯୁବକ ସହିତ ଗତ ୫ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଦେବଗଡ଼ ଏସପି ପ୍ରମୋଦ ରଥ ଓ ମଡେଲ ଥାନା ଆଇଆଇସି ସୁରେନ୍ଦ୍ର ନାୟକ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛନ୍ତି । ଏହି ଘଟଣା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି ।





