ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ସହର ଉପକଣ୍ଠରେ ଥିବା ରାନିଖିଣ୍ଡା ଗାଁରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି। ଏହି ସମୟରେ ନକଲି ବିଦେଶୀ ମଦ ତିଆରିରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ରାନିଖିଣ୍ଡା ଠାରେ ଚଢ଼ାଉ କରିବା ସହ ୧୦୪୫୨ଟି ନକଲି ଲେବଲ, ୪୫୦ ଲିଟର ସ୍ପିରିଟ୍, ୩୦ ଲିଟର ବ୍ଲେଣ୍ଡେଡ ସ୍ପିରିଟ୍, ୧୬୨୦୦ ଲିଟର ନକଲି ବିଦେଶୀ ମଦ, ୧୩୫ଟି ନକଲି ଅବକାରୀ ଲେବେଲ, ୫ ଲିଟର କାରାମେଲ, ଏକ ପଞ୍ଚିଙ୍ଗ ମେସିନକୁ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ସରୋଜ ବେହେରା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଯସପାଲ ସିଂ ଖୋଲି ଫେରାର ଥିବା ସୂଚନା ମିଳିଛି। ନକଲି ବିଦେଶୀ ମଦ ତିଆରିରେ ସବୁ ସାମଗ୍ରୀ କୋଲକାତାରୁ ଆସୁଥିବା ବେଳେ ଏହି ସବୁ ନକଲି ମଦ ବରଗଡ଼, ସୋନପୁର, ବରପାଲି ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳର ବିଭିନ୍ନ ଦୋକାନକୁ ଅଭିଯୁକ୍ତ ଜଣକ ଯୋଗାଉଥିବା ନେଇ ସୂଚନା ମିଳିଛି।





