ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଖୁଣ୍ଟୁବନ୍ଧ ଗ୍ରାମରେ ରହିଥିବା ଗୁଟଖା ବ୍ୟବସାୟୀ କମଳ ସାହୁଙ୍କ ବାସଭବନରେ ଆଜି ଜିଏସଟି ରେଡ ହୋଇଛି । ସକାଳରୁ ସଂନ୍ଧ୍ୟା ପର୍ୟ୍ୟନ୍ତ ଦୁଇଟି ଟିମ୍ ରେଡରେ ସାମିଲ ରହିଛନ୍ତି । ଜଟଣୀ ସ୍ଥିତି ଜିଏସଟି ଏନ୍ଫୋର୍ସମେଣ୍ଟ ଅଫିସର ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଚଢ଼ାଉରେ ଜଟଣୀ ଏବଂ ଭୁବନେଶ୍ୱର କାର୍ୟ୍ୟାଳୟର ଦୁଇଟି ଟିମ୍ ସାମିଲ ରହିଛନ୍ତି । ଦୀର୍ଘଦିନ ଧରି କମଳ ସାହୁ ଗୁଟଖା, ଖଇନି ଏବଂ ପାନମସଲା ବ୍ୟବସାୟ କରି ଆସୁଥିଲେ । ବ୍ୟବସାୟରେ ଟ୍ୟାସ୍କ ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଯେଉଥିପାଇଁ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନେକ ଅଧିକାରୀ ଓ କର୍ମଚାରୀ ଚଢ଼ାଉରେ ସାମିଲ ଥିବା ବେଳେ ଖବରଲେଖା ହେବା ପର୍ୟ୍ୟନ୍ତ ଚଢ଼ାଉ ଶେଷ ହୋଇନଥିବା ସୂଚନା ମିଳିଛି । ଏନେଇ ଟ୍ୟାସ୍କ ଅଫିସର ବିଶ୍ୱଜିତ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରେ, ଚଢ଼ାଉ ଶେଷ ହେବା ପରେ ଯାହା କିଛି ସୂଚନା ଦେବେ ବୋଲି କହିଛନ୍ତି ।





