ନୟାଗଡ଼, (ବାଘୁଆବାର୍ତ୍ତା): ନାବାଳିକା ଅପହରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମନା କରିଛନ୍ତି ନୟାଗଡ଼ ଫାଷ୍ଟ ଟ୍ରାକ ବିଚାରପତି ବିରଞ୍ଚି କୁମାର ରଥ । ସୁଚନାନୁସାରେ ଓଡ଼ଗାଁ ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମର ଅଚ୍ୟୁତ ନାୟକଙ୍କ ପୁଅ ବାପିନା ନାୟକ (ଡିଗଲ), ବୟସ ୨୫ ଜଣେ ନାବାଳିକାକୁ ଅପହରଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଓଡ଼ଗାଁ ଥାନା ପକ୍ଷରୁ କେସ ନଂ – ୫୬/୨୦୨୦ ରେ ମାମଲା ରୁଜ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତକାରି ଦଳ ତତକାଳିନ ପୁଲିସ ଅଧିକାରୀଙ୍କ ହେପାଜତରେ ନାବାଳିକା ଝିଅ ସହ ଆସାମୀ ବାପିନା ନାୟକକୁ ଠାବ କରିବାରେ ସଫଳ ହୋଇଥିଲେ । ଓଡ଼ଗାଁ ଥାନା ପକ୍ଷରୁ ଆସାମୀକୁ କୋର୍ଟ ଫରୁୱାର୍ଡ କରାଯାଇଥିଲା । ବାପିନା କିଛିଦିନ ଜେଲରେ ରହିବା ପରେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିଲେ । କିଛି ଦିନ ମାମଲା ଚାଲୁ ରହିବା ପରେ ଗତ ୬ ମାସ ତଳେ ତ୍ୱାରିତ ମାମଲା ବିଚାର ପାଇଁ ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି କରାଯାଇଥିଲା । ୧୫ ଜଣ ସାକ୍ଷୀ, ପାରିପାଶ୍ୱର୍ିକ ଅବସ୍ଥା, ପ୍ରତିପକ୍ଷ ଓକିଲଙ୍କ ଜବାବ ଓ ସରକାରୀ ଓକିଲଙ୍କ ଜବାବ ସୁଆଲକୁ ବିଚାର କରି ନୟାଗଡ଼ ଫାଷ୍ଟ ଟ୍ରାକ ବିଚାରପତି ବିରଞ୍ଚି କୁମାର ରଥ ଆସାମୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ ୫ ହଜାର ଟଙ୍କା ଜୋରିମନା ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ରାଜ୍ୟ ସରକାରଙ୍କ ସରକାରୀ ଓକିଲ ଅମିୟ ପଟ୍ଟନାୟକ ପରିଚାଳନା କରୁଥିଲେ ।





