ରାଉରକେଲା, (ବାଘୁଆବାର୍ତ୍ତା): ସ୍କୁଲ କୋଠରୀରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ। ସ୍କୁଲ ମାଲିକଙ୍କ ସମେତ ମଦ ମାଫିଆ ଗିରଫ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ରାଉରକେଲା ଅବକାରୀ ବିଭାଗ। ଏହା ସହ ସ୍କୁଲ ମାଲିକ ସୁରେନ୍ଦ୍ର ବଡଇକ ଓ ନକଲି ମଦ ବ୍ୟବସାୟୀ ପୱନ କୁମାର ମିତ୍ତଳଙ୍କୁ ଗିରଫ କରାଯାଇଛି। ସ୍କୁଲରୁ ୧୦୪ ମଦ ପେଟି ସମେତ ଲେବୁଲ, ଠିପି, ଖାଲି ବୋତଲ ଓ ଗୋଟିଏ କାର ଜବତ କରାଯାଇଛି। ନକଲି ମଦ ପ୍ରସ୍ତୁତ କରିବା ପରେ ରାଉରକେଲା ସହରର ବିଭିନ୍ନ ଢ଼ାବା ଓ ହୋଟେଲକୁ ଏହି ମଦ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ପ୍ରକାଶ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।





