ପୁରୀ, (ବାଘୁଆବାର୍ତ୍ତା): ପୁରୀରେ ମାତିଲେ ମୂର୍ତ୍ତି ଚୋର। ମନ୍ଦିର ଭିତରୁ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ। ପୁରୀ ସଦର ଚନ୍ଦନପୁର ଥାନା ଆଳପୁର ଗାଁରେ ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରରୁ ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ପୁରୀ ସଦର ଚନ୍ଦନପୁର ଥାନା ଆଳପୁର ଗାଁରେ ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ବୁଧବାର ସକାଳେ ମନ୍ଦିରର ପୂଜକ ଦ୍ଵାର ଫିଟାଇ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ସମସ୍ତ ମୂର୍ତ୍ତି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନାରାୟଣ, ଦୂର୍ଗା, ଚନ୍ଦ୍ରଶେଖର ଓ ନୃସିଂହ ପ୍ରଭୃତି ମୂର୍ତ୍ତି ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ପୁରୀ ସହର ଓ ସଦର ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ତେବେ ପୁଣିଥରେ ଏହି ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରିଥିବା ବେଳେ ପୋଲିସର କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।





