ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାୟାବିନୀ ଅର୍ଚ୍ଚନା ନାଗ ବ୍ଲାକ୍ମେଲିଂ ମାମଲାର ତଦନ୍ତ ପ୍ରକ୍ରିୟାରେ କମିଶନରେଟ୍ ପୁଲିସ୍ ଏକ ପ୍ରକାର ଡୋରି ବାନ୍ଧି ଦେଇଥିଲା । ହେଲେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କ ବ୍ୟାବସାୟିକ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଅଧିକ ଜେରା ପାଇଁ ୧୦ ଦିନ ରିମାଣ୍ଡରେ ନେଇଛି । ଇଡି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ୨୦୧୭ ମସିହା ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା ଅନଲାଇନ କାରବାର ହୋଇଛି । ସେଥିରୁ ଖଗେଶ୍ୱରଙ୍କ ସହ ୭୦ ଲକ୍ଷ ଟଙ୍କା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ନେତା ଓ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ଖଗେଶ୍ୱରଙ୍କୁ ଜେରା ବେଳେ ଅନେକ ବ୍ୟକ୍ତିଙ୍କ ଚେହେରା ପଦାକୁ ଆସିବ ବୋଲି ଜଣାପଡିଛି । ଗୁରୁବାର ଇଡି ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାର ଘର, ପୁରୁଣା ଗାଡ଼ି ସୋରୁମ (ସୁପ୍ରିମ ମୋଟର୍ସ), ବାଙ୍କିସ୍ଥିତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଘର, ଭବାନୀପାଟଣା କେସିଙ୍ଗାରେ ଅର୍ଚ୍ଚନାଙ୍କ ପୈତୃକ ଘର, କଟକ ଜିଲ୍ଲା ବାରଙ୍ଗ ଗଙ୍ଗେଶ୍ୱର ନିକଟରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କ ପୈତୃକ ଘର, ଅର୍ଚ୍ଚନାଙ୍କ ଜଳେଶ୍ୱର ଶାଶୂଘରେ ଚଢ଼ଉ କରିଥିଲା । ଅର୍ଚ୍ଚନାଙ୍କ ସତ୍ୟବିହାର ଘର ପାଖରେ ଖଗେଶ୍ୱରଙ୍କ ଏକ ନିର୍ମାଣାଧୀନ ଘରେ ମଧ୍ୟ ଚଢ଼ଉ ହୋଇଥିଲା । ସେଠାରୁ ଗୋଟିଏ କାର୍, ୬ଟି ମୋବାଇଲ୍ ଓ ବହୁ କାଗଜପତ୍ର ଜବତ କରିଛି ଇଡି । ଖଗେଶ୍ୱରକୁ ଗିରଫ କରାଯାଇ ଶୁକ୍ରବାର ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଜଜ୍ଙ୍କ ନିକଟରେ ହାଜର କରାଯାଇଥିଲା । ଇଡି ପକ୍ଷରୁ ୧୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । କୋର୍ଟ ୧୦ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି । ପ୍ରଥମ ଦିନ ଜେରା ସମୟରେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନା ବ୍ଲାକ୍ମେଲିଂ କରି କମାଉଥିବା କୋଟି କୋଟି ଟଙ୍କାକୁ ଖଗେଶ୍ୱର ସହ ମିଶି ସୁଧା ବେପାରରେ ବିନିଯୋଗ କରୁଥିଲେ । କିଛି ନେତାଙ୍କ କଳାଟଙ୍କାକୁ ଅର୍ଚ୍ଚନା ବିଭିନ୍ନ ସ୍ଥାନରେ ନିବେଶ କରି ଧଳା କରୁଥିଲା । ଏ ସବୁର ସୂତ୍ରଧର ଥିଲା ଖଗେଶ୍ୱର ଓ ସ୍ୱାମୀ ଜଗବନ୍ଧୁ । ୧୦ ଦିନ ଜେରା ବେଳେ ଇଡି ତା’ଠାରୁ ବହୁ ତଥ୍ୟ ଆଦାୟ କରିବ ବୋଲି ଜଣାପଡିଛି । ଏହି ୧୦ ଦିନ ରିମାଣ୍ଡ ସମୟରେ ଇଡି ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ମଧ୍ୟ ଜେରା କରିବ । ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣି ଏକାଠି ଜେରା କରାଯିବ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଏସ୍ଆଇଟି ଜାଲରେ ମଧ୍ୟ ଅର୍ଚ୍ଚନା ଛନ୍ଦି ହେବେ । ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍ଆଇଟି ବୈଠକ ବସିବ । ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ଜଣାପଡିଛି । ଅର୍ଚ୍ଚନାର ଆର୍ଥିକ କାରବାର କ’ଣ ଓ କି କି ତଥ୍ୟ ମିଳିଛି ସେ ରିପୋର୍ଟ ଦେବାକୁ ଇଡିକୁ ନିର୍ଦ୍ଦେଶ ଦେଇଛି ଏସ୍ଆଇଟି । ଗତ ଅକ୍ଟୋବର ୫ ତାରିଖରେ ଖଗେଶ୍ୱରକୁ ଖଣ୍ଡଗିରି ଥାନା ପୁଲିସ୍ ପଚରାଉଚରା କରି ଛାଡ଼ି ଦେଇଥିଲା । ପରେ କମିଶନରେଟ୍ ପୁଲିସ୍ର ବରିଷ୍ଠ ଅଧିକାରୀମାନେ କହିଥିଲେ, ମାମଲାରେ ଖଗେଶ୍ୱର କୌଣସି ଲିଙ୍କ୍ ନାହିଁ । ଅଧିକ ତଥ୍ୟ ପାଇଁ ତାଙ୍କୁ ଥାନାକୁ ଡକାଯାଇଥିଲା । ଏଠି ପ୍ରଶ୍ନ ଉଠୁଛି ଆର୍ଥିକ କାରବାର ନେଇ ଯେଉଁଠି ଇଡି ଖଗେଶ୍ୱରକୁ ଗିରଫ କରୁଛି । ସେଠି ପୁଲିସ୍ କ’ଣ ପାଇଁ ଖଗେଶ୍ୱରଙ୍କୁ ଗିରଫ କରି ନଥିଲା? କେଉଁ ବଡ଼ବଡ଼ିଆଙ୍କ ଚାପରେ ପୁଲିସ୍ ତାଙ୍କୁ ସୁରକ୍ଷା ଯୋଗାଉଥିଲା ?





