ପୁରୀ, (ବାଘୁଆବାର୍ତ୍ତା): ଅଟୋ ଭିତରେ ବସି ଡକାୟତି ଯୋଜନା କରୁଥିବାବେଳେ ମାଡି ବସିଲା ପୋଲିସ। ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବୋମା ଓ ମାରଣାସ୍ତ୍ର ଜବତ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନରେନ୍ଦ୍ର କୋଣ ମଙ୍ଗଳା ସାହିର ହିମାଂଶୁ ଦାସ, ରାମଚଣ୍ଡୀ ସାହି ବାଲିକୁଦର ପ୍ରଶାନ୍ତ ବିଷୋୟୀ, ଖଜାପଟିର ଅକ୍ଷୟ କୁମାର ପ୍ରଧାନ ଓ ବଳଗଣ୍ଡି ରାୟବାହାଦୁର ଲେନର ଗଜି ଓରଫ ଅଚ୍ୟୁତାନନ୍ଦ ନନ୍ଦ। ପୁରୀ ଆଶ୍ରମ ଛକ ନିକଟରେ ରବିବାର ରାତିରେ ପାଞ୍ଚଜଣ ଅଭିଯୁକ୍ତ ଏକ ଅଟୋରେ ବସି ଡକାୟତି ଯୋଜନା କରୁଥିବା ନେଇ ପୋଲିସ ନିକଟରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ତେବେ ଏହି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୁମ୍ଭାରପଡ଼ା ଥାନା ଅଧିକାରୀ ଦିଲ୍ଲିପ ସ୍ବାଇଁ ସୂଚନା ଦେଇଛନ୍ତି।





