କଟକ, (ବାଘୁଆବାର୍ତ୍ତା): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ। ବଡ଼ ଭାଇର ଛୁରା ମାଡ଼ରେ ସାନ ମୃତ। କଟକ ଦରଘା ବଜାର ଥାନା ଅନ୍ତର୍ଗତ ବାଉଁଶଗଳିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୋଲିସ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିଛି। କଟକ ଦରଘା ବଜାର ଥାନା ଅନର୍ଗତ ବାଉଁଶଗଳିରେ ଆଜି ସକାଳେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ ଭାଇ ଅଜି ମୁଲ୍ଲା ଖାଁ ଉତ୍ତ୍ୟକ୍ତ ହୋଇ ସାନ ଭାଇ ସକୁ ଉଲ୍ଲା ଖାଁଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ସକୁ ଉଲ୍ଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସିଟି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବଡ଼ ଭାଇ ଅଜି ମୁଲ୍ଲାଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ ହୋଇଛି। ଏନେଇ ଦରଘା ବଜାର ଥାନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।





