ଚନ୍ଦାହାଣ୍ଡି, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗତ ୨୦୨୦ ମସିହାରେ ହୋଇଥିବା ମଣ୍ଡି ମହା ଦୁର୍ନିତୀ ପ୍ରସଙ୍ଗରେ ଦିର୍ଘ ଦୁଇ ବର୍ଷ ପରେ ପୁଲିସ ସକ୍ରିୟ ହୋଇଛି । ଗତ କିଛିଦିନ ତଳେ ୫ ଜଣ ମଣ୍ଡି ଦୁର୍ନିତୀ ରେ ସଂପୃକ୍ତ ରହିଥିବା କିଛି ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଏହାସହ କୋର୍ଟରେ କେସ ଡାଏରୀ ଦାଖଲ କରିଥିବା ବେଳେ ଆଜି ଏହି ଦୁର୍ନିତୀର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଚନ୍ଦାହାଣ୍ଡି ଲ୍ୟାମ୍ପ ଏମଡି ଉମେଶ ଚନ୍ଦ୍ର ତ୍ରୀପାଠୀଙ୍କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦୨୦-୨୧ ମସିହାରେ ଚନ୍ଦାହାଣ୍ଡି ବ୍ଲକରେ ଜାଲ୍ ଚାଷୀଙ୍କ ନାମରେ ମଣ୍ଡି କାର୍ଡ ପଞ୍ଜିକୃତ କରି ସଂପୃକ୍ତ ମିଲ ମାଲିକ ଓ ବିଭାଗୀୟ ଅଧିକାରୀ ମାନେ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବା ପଦାକୁ ଆସିଥିଲା । ଏନେଇ ଚନ୍ଦାହାଣ୍ଡି ବ୍ଲକର ଶତାଧିକ ଚାଷୀ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ । ତେବେ କୈାଣସି ଏକ ଅଦୃଶ୍ୟ ଚାପରେ ପୁଲିସ ଦିର୍ଘ ଦୁଇବର୍ଷ ହେବ ଏହି ଫାଇଲକୁ ଚାପି ରଖିଥିବା ବେଳେ ଏବେ ପୁଣି ପୁଲିସ ତତ୍ପର ହୋଇଛି । ଏହି ପ୍ରସଙ୍ଗ ସେତେବେଳେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ପ୍ରସଙ୍ଗକୁ ଭିତ୍ତିକରି ପିସିସି ସମ୍ପାଦକ ତଥା ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଶହ ଚାଷୀ ଛଅ ଦିନ ଧରି ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପର୍ୟ୍ୟନ୍ତ ପଦଯାତ୍ରା କରି ନବରଙ୍ଗପୁର ଠାରେ ହଜାର ହଜାର ଚାଷୀ ସମବେତ ହୋଇ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହନ କରିବାକୁ ଦାବିକରିଥିଲେ । ତେବେ ଏହି ପ୍ରସଙ୍ଗରେ ପୁଲିସ ର ସକ୍ରିୟତା କୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । ଏନେଇ ଆନ୍ଦୋଳନର ନେତୃତ୍ୱ ନେଇଥିବା କ୍ଷେମରାଜ ବାଗ କହିଛନ୍ତି ଯେ ପୁଲିସ ଏ କ୍ଷେତ୍ରରେ ସକ୍ରିୟ ହେବା ନିହାତି ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତଥାପି ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ମିଲ୍ ମାଲିକ ,ସଂପୃକ୍ତ ବ୍ୟାଙ୍କ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖସେଇବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଥିବା ଆଭାସ ମିଳୁଥିବା କହିଛନ୍ତି।





