ପୁରୀ, (ବାଘୁଆବାର୍ତ୍ତା): ଗଡିଥାଆନ୍ତା ନିଲୁ ବରାଳର ମୁଣ୍ଡ । କିନ୍ତୁ ଗୁଳି ହେଲା ଲକ୍ଷ୍ୟଭ୍ରଷ୍ଟ । ବଞ୍ଚିଗଲା ନିଲୁ । ହେଲେ ଆଉ ଗୋଟିଏ ଗୁଳିରେ ଟଳିପଡିଥିଲେ ଶଙ୍କର । ଚନ୍ଦନପୁର ଥାନା ଅଧୀନ ଦଶମାଣ ଗ୍ରାମର ଶଙ୍କର ବେହେରା (୧୮) ହତ୍ୟା ମାମଲାର ପର୍ଦ୍ଦାଫାଶ୍ କରି ଏଭଳି କହିଛି ପୁଲିସ । ମାମଲାରେ ୬ ଜଣ ଜଡିତ ଥିବାବେଳେ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ କୁମ୍ଭାରପଡା ଥାନା ଅଧୀନ ଖାକିମଠ ନୂଆସାହିର ନେତ୍ରାନନ୍ଦ ସାମନ୍ତରାୟ (୨୮), ଚନ୍ଦନପୁର ଥାନା ଅଧୀନ ଦାମୋଦରପୁର ତେଲିସାହୁନାଳର ମିଥୁନ୍ ଭୋଇ (୩୫) ଓ ବୀରପ୍ରଦାପପୁର ପଚାଶପୋଲର ସରୋଜ କୁମାର ଭୋଇ ଓରଫ କାହ୍ନା (୨୦) । ଶୁକ୍ରବର ୩ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିବା କହିଛି ପୁଲିସ । ସେମାନଙ୍କ ଠାରୁ ଏକ ବାଇକ (ଓଡି-୧୩-୯୪୯୪) ଓ ୨ଟି ମୋବାଇଲ୍ ଜବତ କରାଯାଇଛି । ଏହି ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ ବୋଲି କହିଛି ପୁଲିସ । କିନ୍ତୁ ଏହି ଯୋଜନା ଶଙ୍କର ପାଇଁ ନଥିଲା । ସ୍ଥାନୀୟ ଥେଣ୍ଟପୁରର ଜେଲ୍ ଫେରନ୍ତା ନିଲୁ ବରାଳ (୨୭)ର ମୁଣ୍ଡ ଗଡାଇବାକୁ ଥିଲା ଏହି ଯୋଜନା । ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁଳିକାଣ୍ଡ ଘଟଣାର ଖୁଲାସା କରି ଅତିରିକ୍ତ ଏସ୍ପି ମିହିର୍ ପଣ୍ଡା ଏହା କହିଛନ୍ତି । ମିଳିଥିବା ଖବର ଅନୁସାରେ ୨୦୨୦ ମସିହା ଅଗଷ୍ଟ ୧୮ ତାରିଖରେ ମୁକୁନ୍ଦ ମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ସାନପୁଅ ଦୀପକ ଖୁଣ୍ଟିଆଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲା (୨୩୨/୨୦)ରେ ଖଣ୍ଡିଆବନ୍ଧର ଲୋକନାଥ ରାଉତ ଓରଫ ଦେବୁଲା ଓ ତା’ ବଡ଼ଭାଇ ଗୋପୀନାଥ ରାଉତ ଓରଫ ଟୁକୁଲାଙ୍କୁ ଗିରଫ କରିଥିଲା ସଦର ଥାନା ପୁଲିସ । ଏବେ ୨ ଭାଇ ଲେ୍ରେ ଅଛନ୍ତି । ନିଲୁ ଖଣ୍ଡିଆବନ୍ଧରେ ରହୁଥିବାରୁ ୨ ଭାଇଙ୍କ ସହ ଘନିଷ୍ଠ ଥିଲା । ଦେବୁଲା ଓ ଟୁକୁଲାଙ୍କ ବିରୋଧରେ କୋର୍ଟରେ କେହି ସାକ୍ଷୀ ନଦେବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ ଦୁଇ ଭାଇ । ଏଥିପାଇଁ ସେମାନେ ନିଲୁକୁ ଅସ୍ତ୍ର କରିଥିଲେ । ତେଣୁ ବିଜୟ ଖୁଣ୍ଟିଆଙ୍କ ଘରକୁ ନିଲୁ ଲଗାତର ଭାବେ ବୋମାମାଡ କରିଥିଲା । ବିଜୟଙ୍କ ଅନ୍ୟ ଜଣେ ପୁଅ ପପୁ ଖୁଣ୍ଟିଆକୁ ହତ୍ୟା ଉଦ୍ୟମ କରିଥିଲା ନିଲୁ । ତେଣୁ ବିଜୟଙ୍କ ପରିବାର ପାଇଁ ନିଲୁ କାଳ ସାଜିଥିବାବେଳେ ଟାର୍ଗେଟ୍କୁ ମଧ୍ୟ ଆସିଥିଲା । ବୋମାମାଡ ମାମଲାରେ ଜେଲ୍ ଯାଇ ନିଲୁ କିଛିଦିନ ତଳେ ଜାମିନ୍ରେ ଫେରିଥିଲା । ଫେରିବା ପରେ ମଧ୍ୟ ବିଜୟଙ୍କ ପରିବାର ତଥା ପପୁକୁ ଖୋଜିଥିଲା ନିଲୁ । ତେଣୁ ନିଲୁର ମୁଣ୍ଡ ଗଡ଼ାଇବାକୁ ଯୋଜନା ଆରମ୍ଭ ହୋଇଥିଲା । ପପୁର ଗୋଦମରେ କାମ କରେ ନେତ୍ରାନନ୍ଦ । ପପୁର ଗାଡି ଡ୍ରାଇଭର ଥିଲା ମିଥୁନ୍ । ମିଥୁନ୍ର ପୁତୁରା ହେଉଛି ସରୋଜ । ତେଣୁ ସରୋଜ ଅନେକ ସମୟର ମିଥୁନ୍ ସାଙ୍ଗରେ ଆସି ପପୁର ଗୋଦାମରେ ବସଉଠ କରୁଥିଲା । ମୋଟ ୬ ଜଣ ପପୁର ଗୋଦାମରେ ବସି ଷଡ଼ଯନ୍ତ୍ର ରଚିଥିଲେ ବୋଲି ପୁଲିସ କହିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ୨୧ ତାରିଖରେ ନିଲୁର ମୁଣ୍ଡ ଗଡ଼ାଇବାକୁ ହୋଇଥିଲା ଯୋଜନା । ନିଲୁ ସହ ସମ୍ପର୍କ ସ୍ଥାପନ କରିଥିଲେ ସରୋଜ ଓ ମିଥୁନ୍ । ୨୧ ତାରିଖ ଦିନ ଯୋଜନା ଅନୁସାରେ ଉଭୟ ମଦ କିଣି ନେଇ ନିଲୁକୁ ପିଇବାକୁ ଦେଇଥିଲେ । ମଦ ପିଇବାବେଳେ ତା’ ମୁଣ୍ଡ ଗଡ଼ାଇବାକୁ ଯୋଜନା ହୋଇଥିଲା । ହେଲେ ଏତେ ଶୀଘ୍ର ଉଭୟ ବନ୍ଧୁବାନ୍ଧି ମଦ ପିଇବାକୁ ଦେବା ଘଟଣାରେ ସନ୍ଦେହ କରି ସେଦିନ ନିଲୁ ଖସି ଯାଇଥିଲା । ତେଣୁ ହତ୍ୟା ଯୋଜନା ଫେଲ୍ ମାରିଥିଲା । ଦୀପାବଳି ରାତିରେ ଫୋନ୍ କଲ୍ ପାଇ ଶଙ୍କର ଘରୁ ବାହାରିଥିଲେ । ତାଙ୍କ ଦାଦା ପୁଅ ଭାଇ ଚିତ୍ତନ ବେହେରାଙ୍କ ସହ ବାଇକ୍ ଯୋଗେ ନିଲୁ ପାଖରେ ପହଞ୍ଚିଥିଲେ । ଭାର୍ଗବୀ ହାଇସ୍କୁଲ୍ ନିକଟରେ ୩ ଜଣ ବସିଥିବାବେଳେ ସେମାନଙ୍କ ଉପରେ ନଜର ରଖିଥିଲେ ମିଥୁନ୍ ଓ ସରୋଜ । ଉଭୟଙ୍କଠାରୁ ସୂଚନା ପାଇ ୪ ଜଣ ଥେଣ୍ଟପୁରକୁ ଯାଇଥିଲେ । ୨ ଜଣ ଗାଁ ମୁଣ୍ଡରେ ଅପେକ୍ଷା କରି ରହିଥିବାବେଳେ ଆଉ ୨ ଜଣ ଘଟଣାସ୍ଥଳକୁ ଯାଇଥିଲେ । ବାଇକ୍ ଲାଇଟ୍ ଅଫ୍ କରିବା ପରେ ଘଟଣାସ୍ଥଳ ଅନ୍ଧାର ହୋଇଥିଲା । ନିଲୁକୁ ଗୁଳି ମାଡ଼ କରିବାବେଳେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ତା’ଗୋଡରେ ବାଜିଥିଲା । ଫଳରେ ନିଲୁ ସେଠାରୁ ଆତଙ୍କିତ ଅବସ୍ଥାରେ ଅନ୍ଧାର ଭିତରକୁ ଖସି ପଳାଇଥିଲା । ଚିତ୍ତନ ମଧ୍ୟ ଆତଙ୍କିତ ହୋଇ ପାଖରେ ଥିବା ଏକ ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଥିଲା । ହେଲେ ଦ୍ୱିତୀୟ ରାଉଣ୍ଡ୍ ଗୁଳି ସାମ୍ନାରେ ରହି ଯାଇଥିଲେ ଶଙ୍କର । ଗୁଳିଟି ତାଙ୍କ ପେଟରେ ବାଜିଥିଲା । ଫଳରେ ସେ ସେହିଠାରେ ଟଳି ପଡିଥିଲେ । ଏନେଇ ଶଙ୍କରଙ୍କ ଭାଇ କୃଷ୍ଣଚନ୍ଦ୍ର ବେହେରାଙ୍କ ଏତଲା କ୍ରମେ ପୁଲିସ ହତ୍ୟା ମାମଲା(୨୬୧/୨୨) ରୁଜୁ କରିଛି । ଶଙ୍କରଙ୍କ ଅପରାଧ ତାଲିକାରେ ନାଁ ନଥିବାରୁ ପୁଲିସର ତଦନ୍ତ ଭିତରକୁ ଆସିଥିଲା ନିଲୁ । ତେଣୁ ତା’ ସହ କେଉଁମାନଙ୍କ ବିବାଦ ଅଛି ତାହା ନେଇ ପୁଲିସ ଖୋଳତାଡ଼ କରିବାବେଳେ ବିଜୟ ଖୁଣ୍ଟିଆଙ୍କ ପରିବାର ନଜରକୁ ଆସିଥିଲା । ବିଜୟଙ୍କୁ ଉଠାଇ ନେଇଥିଲା ପୁଲିସ । ଜେରାବେଳେ ପୁଲିସ ସତ ପାଇଥିଲା । ପପୁ ଏବେ ପୁଲିସ ସ୍କାନରରେ ରହିଛି । ସେ ଏବେ ଫେରାର୍ ଥିବା କହିଛି ପୁଲିସ । ଗୁଳି ମାରିଥିବା ଅଭିଯୁକ୍ତ ଫେରାର୍ ଥିବାରୁ ଶଙ୍କରଙ୍କ ଗୁଳିମାଡ଼ ଘଟଣା ଉପରୁ ତଥାପି ହଟିନି ପରଦା । ପପୁକୁ ଗୁଳି କରିବାବେଳେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା ବୋଲି ପୁଲିସ କହିଛି । ପରେ ଦ୍ୱିତୀୟ ଗୁଳିରେ ଶଙ୍କରଙ୍କ ମୃତ୍ୟୁ ହୋଇଛି । ଅର୍ଥାତ୍ ଲକ୍ଷ୍ୟଭ୍ରଷ୍ଟ ହେବା ପରେ ଶଙ୍କରଙ୍କ ମୁଣ୍ଡ ଗଡିଥିବା ଜଣାପଡିଛି । ତେଣୁ ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବା ପରେ ଶଙ୍କର ମୁଣ୍ଡ କିପରି ଗଡିଥିଲା ତାହା ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ଅଭିଯୁକ୍ତ ଧରାପଡିଲେ ଗୁଳିମାଡ଼ ବେଳେ ଶଙ୍କର ପ୍ରତିବାଦ କରିଥିଲେ କି ନାହିଁ, ଯଦି ପ୍ରତିବାଦ କରିଥିବେ ସେଥିପାଇଁ ତାଙ୍କୁ ଗୁଳିମାଡ଼ ହୋଇଛି କି, କିମ୍ବା ନିଜକୁ ବଞ୍ଚାଇବାକୁ ଯାଇ ନିଲୁ ଶଙ୍କରଙ୍କ ସାହାରା ନେଇ ଖସିବାବେଳେ ତାଙ୍କ ମୁଣ୍ଡ ଗଡିଛି ଅଥବା ଅନ୍ଧାରରେ ଚିହ୍ନି ନପାରି ଶଙ୍କରଙ୍କୁ ଅଭିଯୁକ୍ତ ଗୁଳି କରିଥିଲେ ତାହା ଜଣାପଡିବ ବୋଲି କହିଛନ୍ତି ସଦର ଏସ୍ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍।





