କେସିଙ୍ଗା, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ଅଧୀନସ୍ଥ ମାଲପଡା ଓ ପଥର୍ଲା ତିନି ଛକ ନିକଟରେ ଗୁରୁବାର ସକାଳେ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ପଥର୍ଲ। ଗ୍ରାମ କଲାନିପଡାର କେଶରୀ ବାଗଙ୍କ ପୁଅ କିଶାନ ବାଗ( ୨୫ ) ବୋଲି ଜଣାପଡିଛି । ମୃତ କିଶାନଙ୍କ ଗଳାରେ ଏକ ଲମ୍ବା ରଶି ଲାଗିଥିବା ବେଳେ ମୃତ ଶରୀର ତଳେ ପଡିଥିବା ନେଇ ଦେଖିବାକୁ ମିଳିଥିଲା । ତେବେ ସନ୍ଦେହ ଜନକ ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଓ କେସିଙ୍ଗା ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପୁଲିସ ମୃତଦେହକୁ ଜବତ୍ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅପରପକ୍ଷରେ ମୃତ ଯୁବକର ପରିବାର ଲୋକେ ଗଣମାଧ୍ୟମ ପାଖରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବର ସଂଗ୍ରହ ରୁ ପ୍ରକାଶ, କିଶାନ ଗତ ୧୮ ତାରିଖ ମଙ୍ଗଳବାର ଦିନ ସକାଳୁ ନିଜ ଭଉଣୀ ଘରକୁ ଯାଉଛି ବୋଲି କହି ପଥର୍ଲା କଲୋନୀପଡା ଘରୁ ବାହାରି ଥିଲେ । ହେଲେ ଗୁରୁବାର ସକାଳ ପ୍ରାୟ ୬ ଟା ସମୟରେ ଏକ ମୃତ ଦେହ ପଡ଼ିଥିବା ନେଇ ଲୋକେ ଦେଖିବାକୁ ପାଇଥିଲେ । କେସିଙ୍ଗା ଆଦର୍ଶ ଥାନା ପୁଲିସ ଏନେଇ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା । ତେବେ ଯୁବକର ମୃତ ଦେହ ଉଦ୍ଧାର ହୋଇଥିବା ସ୍ଥାନ ନିକଟରେ ମଦ ବୋତଲ ଓ ଛୁରୀ ପଡ଼ିଥିବା ନେଇ ଦେଖିବାକୁ ମିଳିଥିଲା । ସାଇଣ୍ଟିଫିକ ଦଳ ସହାୟତାରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।





