ଉମରକୋଟ, (ବାଘୁଆବାର୍ତ୍ତା): ଜବତ ଟ୍ରାକ୍ଟର ମୁକୁଳାଇବା ପାଇଁ ଲାଞ୍ଚ ନେଉଛନ୍ତି ଫରେଷ୍ଟ ଗାର୍ଡ। ବଡ଼ ବାବୁଙ୍କ ନାଁରେ ଲାଞ୍ଚ ନେଉଛନ୍ତି ତଳିଆ କର୍ମଚାରୀ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ଏଭଳି ଏକ ଅଭିଯୋଗ ଆସିଛି। ଜବତ ଟ୍ରାକ୍ଟରକୁ ମୁକୁଳେଇବା ପାଇଁ ଫରେଷ୍ଟ ଗାର୍ଡ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୧ ତାରିଖରେ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ଚାଷ କାମ ଚାଲିଥିବା ସମୟରେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିବା ସହିତ ଟ୍ରାକ୍ଟର ମାଲିକ ରୂପଚାନ୍ଦ ଗଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଇଘର ବନ ବିଭାଗ। ରୂପଚାନ୍ଦ ଗଣ୍ଡ କୋର୍ଟରୁ ଜାମିନରେ ଆସିବା ପରେ ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ ଟ୍ରାକ୍ଟରଟିକୁ ମୁକୁଳାଇବାକୁ ଉପରିସ୍ଥ ଅଧିକାରୀଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡିବ କହି ତାଙ୍କ ଠାରୁ ଗୁଗଲ୍ ପେ ମାଧ୍ୟମରେ ୧୧ ହଜାର ଟଙ୍କା ଓ ନଗଦ ୯ ହଜାର ଟଙ୍କା ନେଇଥିଲେ । ତେବେ ଟଙ୍କା ଦେବାର ପ୍ରାୟ ଦୁଇ ମାସ ହେବାକୁ ଗଲାଣି କିନ୍ତୁ ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ ଆଉ ଧରା ଛୁଆଁ ଦେଉ ନାହାଁନ୍ତି ବୋଲି ଋପଚାନ୍ଦ ଶେଷରେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ତେବେ ଏସମ୍ପର୍କରେ ସଂପୃକ୍ତ ଗାର୍ଡଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫରେଷ୍ଟ ଗାର୍ଡଙ୍କ ମୋବାଇଲ ବନ୍ଦ ରହିଛି। ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ରାଇଘର ରେଞ୍ଜର ତନୁଜା କାର୍ତିକଙ୍କୁ ପଚାରିବାରୁ ପ୍ରଥମେ କଥାକୁ ଏଡାଇ ଦେଇଥିଲେ। ପରେ କହିଛନ୍ତି ଯେ, ଯଦି ଗାଡି ସିଜ୍ ହୁଏ ତାହା ସେମିତିରେ ରିଲିଜ୍ ହୁଏନି। ଯଦି ଗାର୍ଡ ତାଙ୍କ ଠାରୁ ଲାଞ୍ଚ ନେଇଛନ୍ତି ତାହେଲେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।





