ବାଲେଶ୍ଵର, (ବାଘୁଆବାର୍ତ୍ତା): ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ରେମୁଣାର ସତ୍ୟମ୍ ଡେଭଲପର୍ସ ମାଲିକ ରମେଶ ବେହେରାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍। ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ। ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଜବତ କରିଛି ପୋଲିସ। ତେବେ ଏହି ହତ୍ୟାକାଣ୍ଡରେ ୧୦ ଜଣଙ୍କର ସମ୍ପୃକ୍ତି ରହିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଖୋଜୁଛି ପୋଲିସ। ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଏସସପି ସୂଚନା ଦେଇଛନ୍ତି। ହତ୍ୟା ପାଇଁ ୫୦ ଲକ୍ଷର ଡିଲ୍ ହୋଇଥିବା ସୂଚନା ମିଳିଛି। ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ରେମୁଣାର ସତ୍ୟମ୍ ଡେଭଲପର୍ସ ମାଲିକ ରମେଶ ବେହେରାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି। ଗତ ଶନିବାର ଦିନ ସନ୍ଧ୍ୟାରେ ରେମୁଣା ଗୋଲେଇ-ବାଲଗୋପାଲପୁର ବାଇପସ୍ ରାସ୍ତାରେ ଅଚ୍ୟୁତପୁର ନିକଟରେ ସୁପାରୀ କିଲର ଦ୍ଵାରା ରମେଶଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ଏଥିପାଇଁ ସୁପାରୀ କିଲରକୁ ଲକ୍ଷେ ଆଡଭାନ୍ସ ମଧ୍ୟ ଦିଆଯାଇଥିଲା। ରମେଶ ଜମି ପ୍ଲଟିଂ କରି ବିକ୍ରି କରିବା କାମ କରନ୍ତି। ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ରମେଶଙ୍କୁ ଫୋନ୍ରେ ପ୍ଲଟକୁ ଡାକି ନିର୍ମମ ଭାବେ ହତ୍ୟା କରିଥିଲେ ସୁପାରୀ କିଲର। ୨୮ ତାରିଖ ଦିନ ଶିଳ୍ପାଞ୍ଚଳ ଥାନା ସତ୍ୟନଗରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣଙ୍କର ସମ୍ପୃକ୍ତି ରହିଛି। ପୋଲିସ ଏଯାବତ୍ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। ଗିରଫଙ୍କ ମଧ୍ୟରୁ ୩ ଜଣ ହତ୍ୟାକାଣ୍ଡରେ ଜଡିତ ଥିବାବେଳେ ଅନ୍ୟ ୪ ଜଣ ସେମାନଙ୍କୁ ଫେରାର ହେବାରେ ସହଯୋଗ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରଞ୍ଜନ ସାହୁ, ଶମ୍ଭୁନାଥ ବିଶୋଇ, ଚିତ୍ତରଞ୍ଜନ ପାଣିଗ୍ରାହୀ, କମଳ ବେହେରା, ଗୋପୀନାଥ ପାକଳ, ମାନସ କୁମାର ପ୍ରଧାନ, ବିଜୟ କୁମାର ବେହେରା। ସେମାନଙ୍କ ନିକଟରୁ ପୁଲିସ ନଗଦ ୪୨ ହଜାର ଟଙ୍କା ସହ ଗୋଟିଏ ବୋଲେରୋ, ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା,୭ ମୋବାଇଲ, ୨ ବାଇକ ଜବତ କରିଛି। ଜମି ବ୍ୟବସାୟର ପୂର୍ବ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।






