କାଶୀପୁର, (ବାଘୁଆବାର୍ତ୍ତା): ବିଦେଶୀ ମଦ ବୋଝେଇ ବୋଲେରୋ ଜବତ। ଚୋରା ଚାଲାଣ ବେଳେ ଟିକିରି ଥାନା ପୋଲିସ ଚଢାଉ କରି ଡ୍ରାଇଭରଙ୍କୁ ଗିରଫ କରିଛି। ବୋଲେରୋ ଭିତରୁ ୩୬୦ ଲିଟର ବିଅର ଜବତ ହୋଇଛି। ଏହି ଗାଡିଟି ରାୟଗଡ଼ା ସହରର ଜଣେ ରାଜନେତାଙ୍କର ହୋଇଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଟିକିରି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କ ନିର୍ଦ୍ଦେଶରେ ଏଏସ ଆଇ ଝାସକେତନ ସାହୁ, କନେଷ୍ଟବଳ ଧୀରେନ୍ଦ୍ର ମହାପାତ୍ର ଓ ଏପିଏଫ ଅଷ୍ଟମ ବାଟାଲିଆନର ମାଧବ ଶବର, ବୈଲୋଚନ ମିର୍ଦ୍ଧା ସହିତ ପୁଲିସ ଟିମ ତୋଟାଗୁଡ଼ା ଛକ ଏବଂ ଆଖପାଖ ସ୍ଥାନରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋକୁ ସନ୍ଦେହରେ ଅଟକାଇ ଯାଞ୍ଚ୍ କରିଥିଲେ। ଗାଡି ଚାଳକର କଥାରେ ତାଳମେଳ ନରହିବାରୁ ବୋଲେରୋ ଗାଡିକୁ ଜବତ କରି ଥାନାକୁ ନେଇ ପଚରାଉଚୁରା କରି ତଲାସୀ କରାଯାଇଥିଲା। ଏହି ସମୟରେ ଗାଡି ଭିତରୁ ୩୦ଟି ପେଟିରେ ରଖାଯାଇଥିବା ୫୦୦ ମିଲି ୭୨୦ ଟି ବିଅର କେନ ଜବତ ହୋଇଥିଲା । ତେବେ ମଦ ଚାଲାଣ ନେଇ ଆବଶ୍ୟକ କାଗଜପତ୍ର ନଥିବାରୁ ଅଭିଯୁକ୍ତ ଡ୍ରାଇଭର ୱାଇ ମୋହନ ବାବୁକୁ ପୁଲିସ ଗିରଫ କରିଥିବା ଜଣାପଡିଛି। ସେହିପରି ରାୟଗଡା ସହରର କୌଣସି ଏକ ମଦ ଦୋକାନରୁ କାଶୀପୁରକୁ ଚୋରାରେ ଏହି ମଦ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । ରାୟଗଡା ସହର ଲକ୍ଷ୍ମୀନଗର ସାହିରେ ରହୁଥିବା ଗାଡି ଡ୍ରାଇଭର ୱାଇ. ମୋହନ ବାବୁକୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଟିକିରି ଥାନାର କେସ ନଂ ୧୩୮/୨୨ ରେ ଓଡ଼ିଶା ଅବକାରୀ ଆକ୍ଟର ଦଫା ୫୨(ଏ) ରେ ମାମଲା ରୁଜୁ କରାଯାଇଥିବା ତଦନ୍ତ ଅଧିକାରୀ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି । ତେବେ ଜଣେ ନେତାଙ୍କ ଗାଡିରେ ମଦ ଚାଲାଣ ହେଉଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନେତା ଜଣକ ଏକ ବିଦେଶୀ ମଦ ଦୋକାନକୁ ଅଘୋଷିତ ଲିଜ୍ ଆକାରରେ ନେଇ ଚଳାଉଛନ୍ତି। ଆଉ ଅଧିକ ଲାଭ ପାଇବା ପାଇଁ ଚୋରାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।





