ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଏଲ୍ଏକ୍ସରେ ବିଜ୍ଞାପନ ପଢ଼ି କେଟିଏମ୍ ବାଇକ୍ କିଣିବାକୁ ଆସିଲେ । ଟ୍ରାଏଲ ବାହାନାରେ ବାଇକ୍ ନେଇ ଛୁ ମାରିଲେ । ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ତନାଘନା ଚଳାଇ ବାଇକ୍କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ତାଙ୍କ ନାମ ଅଟଳ ବିହାରୀ ଓଝା (୨୩) । ଘର କଟକ ନିଶ୍ଚିନ୍ତକୋଇଲି । ସେ ମଞ୍ଚେଶ୍ୱର ସମେଇଗଡ଼ିଆରେ ରହୁଥିଲା । ଏହି ମାମଲାରେ ସଂପୃକ୍ତ ଅଟଳଙ୍କ ସହଯୋଗୀ କେନ୍ଦ୍ରାପଡ଼ାର ରିଙ୍କୁ ଓରଫ ସୌମେନ୍ଦ୍ର ସ୍ୱାଇଁ ଏବେ ଫେରାର୍ ଅଛି । ପୁଲିସ ସୂଚନା ଅନୁଯାୟୀ, ଜାଗମରାରେ ରହୁଥିବା ଗାମା ସିଗ୍ମା ତାଙ୍କ କେଟିଏମ୍ ବାଇକ୍ (ଓଡି୦୫ଏକ୍ସ-୩୧୮୪) ବିକିବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ପଢ଼ି ଅଟଳ ଓ ତାଙ୍କ ସାଙ୍ଗ ରିଙ୍କୁ ଗାଡ଼ି ଦେଖିବାକୁ ଗାମାଙ୍କ ସହ ଯୋଗାଯୋଗ କରିଥିଲେ । ଗତ ୨୬ ତାରିଖରେ ଅଟଳ ଓ ରିଙ୍କୁ ଆସି ଗାମାଙ୍କୁ ଫୋନ୍ କରିଥିଲେ । ସେଦିନ ଗାମା କୌଣସି କାମରେ ବ୍ୟସ୍ତ ଥିବାରୁ ସାଙ୍ଗ ଚନ୍ଦ୍ରକାନ୍ତ ଦଣ୍ଡପାଟଙ୍କୁ ବାଇକ୍ ଦେଇ ପଠାଇଥିଲେ । ଜାଗମରା ନୂଆ ରାସ୍ତାରେ ଅଟଳ ଓ ରିଙ୍କୁ ଚନ୍ଦ୍ରକାନ୍ତଙ୍କ ଠାରୁ ବାଇକ୍ ଦେଖିବା ସହ ଟ୍ରାଏଲ କରିବା ପାଇଁ କହିଥିଲେ । ଟ୍ରାଏଲ ବାହାନାରେ ସେମାନେ ବାଇକ୍ ନେଇ ଛୁ ମାରିଥିଲେ । ଚନ୍ଦ୍ରକାନ୍ତ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଅଟଳଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ପୁଲିସ ଗୁରୁବାର ସକାଳେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ କେଟିଏମ୍ ବାଇକ୍କୁ ଜବତ କରିଥିଲା । ଗୁରୁବାର ଅଟଳଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଅଟଳଙ୍କ ସହଯୋଗୀ ରିଙ୍କୁଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।






