ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜପ୍ରାସାଦ ଭଳି ଘର, ଆଖି ଝଲ୍ସା ଇଣ୍ଟେରିୟର୍, ଇମ୍ପୋର୍ଟେଡ୍ ଫର୍ଣ୍ଣିଚର ସାଙ୍ଗକୁ ଭଳିକି ଭଳି ବିଦେଶୀ ବ୍ରାଣ୍ଡ୍ର କାର୍ ଓ ବାଇକ୍ । ବିଶାଳ ଫାର୍ମହାଉସ୍, ଗୋଟିଏ କାର୍ ସୋରୁମ୍ ଓ ଦୁଇଟି କମ୍ପାନୀର ମାଲିକ । ପାଳିଛନ୍ତି ୧୦ରୁ ଅଧିକ କୁକୁର, ୬ ଲକ୍ଷ ଟଙ୍କାର ଘୋଡ଼ା । ଆଦବକାଇଦା ଓ ଚଳଣି କୌଣସି ବଡ଼ ଉଦ୍ୟୋଗପତିଙ୍କ ଠାରୁ ବି କମ୍ ନୁହେଁ । କିନ୍ତୁ ଆଇନତଃ ଆୟ ଶୂନ୍ୟ । ଏ ସବୁ ସମ୍ପତ୍ତି କମାଇଛନ୍ତି କେବଳ ବ୍ଲାକମେଲିଂ କରି । ବ୍ଲାକମେଲିଂର ରାଣୀ ଅର୍ଚ୍ଚନାଙ୍କ ‘ନାଗଫାଶ’ରେ ପଡ଼ିଛନ୍ତି ରାଜନେତା, ବ୍ୟବସାୟୀ, ଚଳଚ୍ଚିତ୍ର ପ୍ରଯୋଜକ ଓ ବରିଷ୍ଠ ଅଧିକାରୀ । ତାଙ୍କ କଳାକାରନାମା ଦେଖି ରାଜଧାନୀବାସୀ ତାଜୁବ୍ ହୋଇଯାଇଛନ୍ତି । ଜଣେ ମହିଳା କେବଳ ବ୍ଲାକମେଲିଂ କରି ଏଭଳି ବିଶାଳ ସାମ୍ରାଜ୍ୟ ଠିଆ କରିପାରେ ଓ ଏତେଦିନ ପର୍ୟ୍ୟନ୍ତ ଆଇନ ଆଖିରୁ ଲୁଚି ରହିପାରେ ତାହା ସାଧାରଣଲୋକଙ୍କ ପାଇଁ ଯେତିକି ରହସ୍ୟମୟ, ପୁଲିସ ପାଇଁ ସେତିକି ଚ୍ୟାଲେଞ୍ଜପୂର୍ଣ୍ଣ । ଗୁଳିକାଣ୍ଡ ପରେ ଗଳିରେ ସିରିଜ୍ ସିସି କ୍ୟାମେରା – ପଳାଶୁଣି ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରେ ଖାଲି ସିସି କ୍ୟାମେରା ଲାଗିନଥିଲା । ଘର ସାମ୍ନାରେ ରାସ୍ତାରେ ପ୍ରାୟ ୧୦୦ ମିଟର ଯାଏଁ ସିସି କ୍ୟାମେରା ଖଞ୍ଜାଯାଇଥିଲା । ଏକାବେଳକେ ୧୦ଟି ସିସି କ୍ୟାମେରା ବିଦ୍ୟୁତ ଓ ଟେଲିଫୋନ୍ ଖୁଣ୍ଟରେ ଲଗାଯାଇଥିଲା । ସମସ୍ତ ସିସି କ୍ୟାମେରାକୁ ଅର୍ଚ୍ଚନାଙ୍କ ଘର ସହ ସଂଯୋଗ କରାଯାଇଥିଲା । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ୬ ମାସ ତଳେ କିଛି ଦୁର୍ବୃତ୍ତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ ତାଙ୍କ ବିଲ୍ଡିଂ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଗୁଳିମାଡ଼ର ଚିହ୍ନ ଏବେ ବି ବିଲ୍ଡିଂରେ ରହିଛି । ଏହି ଆକ୍ରମଣ ପରେ ଦମ୍ପତି ସତର୍କ ହୋଇ ସତ୍ୟବିହାର ଗଳିରେ ସିସି କ୍ୟାମେରା ଖଞ୍ଜିଥିଲେ । ଏତେ ବଡ଼ ଆକ୍ରମଣ ସତ୍ତେ୍ୱ ଦମ୍ପତି କୌଣସି ଥାନାରେ ଅଭିଯୋଗ କରିନଥିଲେ । ଅର୍ଚ୍ଚନାଙ୍କ ହନିଟ୍ରାପ୍ର ଶିକାର ହୋଇଥିବା କେହି ପ୍ରଭାବଶାଳୀ ବ୍ୟକ୍ତି ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ଇଟାଲି, ଥାଇଲ୍ୟାଣ୍ଡରୁ ଇଣ୍ଟେରିଅର ସାମଗ୍ରୀ – ବିରାଟ ଅଟ୍ଟାଳିକା । ହାଇରିଜୋଲ୍ୟୁସନ ସିସି କ୍ୟାମେରାଠୁ ସେନସର ଖଞ୍ଜା କବାଟ । ଘର ଚଟାଣଠୁ ବେଡ୍ର ଚାଦର ଯାଏଁ ସବୁ ବିଦେଶୀ ବ୍ରାଣ୍ଡ୍ । ରାଜକୀୟ ପଲଙ୍କ, ସୋଫା, ଫର୍ଣ୍ଣିଚରରେ ବିଦେଶୀ ଛାପ ଥିଲା । ବିଲ୍ଡିଂ ଟେରାସ୍ରେ ସୁଇମିଂ ପୁଲ୍ ମଧ୍ୟ ଥିଲା । ତାଙ୍କର ଏହି ବିଶାଳ ବଙ୍ଗଳା ଦେଖିଲେ, ଯେକୌଣସି ଲୋକର ଆଖି ଖୋସି ହୋଇଯିବ । ବିଲ୍ଡିଂରେ ଯେତକି ଇଣ୍ଟେରିଅର ଡେକୋରେସନ ସାମଗ୍ରୀ ଖଞ୍ଜାଯାଇଛି, ତାହା ଇଟାଲି ଓ ଥାଇଲ୍ୟାଣ୍ଡରୁ ଅଣାଯାଇଥିଲା । ଫାଙ୍କୁଥିଲେ ଟିକସ, ପଞ୍ଝା ମାରିବ ଆୟକର ବିଭାଗ – କୋଟି କୋଟି ଟଙ୍କା ମୂଲ୍ୟର ବଙ୍ଗଳା ଆଉ ଦାମୀ କାର । ରାଜକୀୟ ଠାଣିରେ ଜୀବନଯାପନ । ପୁଣି କଟକ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍ ସୋ ରୁମ୍ରେ ଜଗବନ୍ଧୁ ୨ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏ ସବୁରେ ଦମ୍ପତି ଆୟକର ଟିକସ ଫାଙ୍କୁଥିବା ଗନ୍ଧ ବାରିଛି ପୁଲିସ । ଏନେଇ ଆଗକୁ ଆୟକର ବିଭାଗ ତଦନ୍ତ କରିପାରେ । ରାଜ୍ୟ ଭିଜିଲାନ୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଉଭୟଙ୍କ ସମ୍ପତ୍ତିର ଖୋଳତାଡ଼ କରିପାରେ । ସେୟାର ମାର୍କେଟରେ କୋଟି କୋଟି ଟଙ୍କା – ଅର୍ଚ୍ଚନା ଓ ଜଗବନ୍ଧୁ ସେୟାର ମାର୍କେଟରେ କୋଟି କୋଟି ଟଙ୍କା ଖଟାଇଛନ୍ତି । ଏହାବାଦ୍ ବାଲେଶ୍ୱରରେ ଏକ ୩ ମହଲା ବିଶିଷ୍ଟ ବଙ୍ଗଳା ବନାଉଥିଲେ । ଉଭୟଙ୍କ ‘ଆଦିତ୍ୟ ପ୍ରେଷ୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍’ ଓ ‘ଗୋଲ୍ଡେନ ଇମ୍ପ୍ରେସ୍ ପ୍ରାଇଭେଟ୍ ଲିମିଟେଡ୍’ ନାଁରେ ୨ଟି କମ୍ପାନୀ ଅଛି । ଘରେ ଫିଲ୍ମ, ବିଜ୍ଞାପନ ସୁଟିଂ – ଅର୍ଚ୍ଚନାଙ୍କ ଏହି ସୁରମ୍ୟ ସୌଧରେ ବିଭିନ୍ନ ଓଡି଼ଆ ଫିଲ୍ମ, ସିରିଏଲ୍ ଓ ବିଜ୍ଞାପନ ସୁଟିଂ ହେଉଥିଲା । ଏଥିପାଇଁ ଅର୍ଚ୍ଚନା ପ୍ରଡ୍ୟୁସରମାନଙ୍କୁ ଉଚ୍ଚ ଦର କଷୁଥିଲେ । ଯେହେତୁ ଆଲିସାନ ବଙ୍ଗଳା ହୋଇଥିବାରୁ ଅଧିକାଂଶ ପ୍ରଯୋଜକ ଏହି ବିଲ୍ଡିଂରେ ସୁଟିଂ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ବିଲ୍ଡିଂରେ ଓଡି଼ଆ କଳାକାର ଓ ସିନେଷ୍ଟାରଙ୍କ ସୁଟିଂ ବେଳର ଫଟୋଚିତ୍ରକୁ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଛନ୍ତି । ଗାଡି଼ ନମ୍ବର ଲକି ‘୨୩୨୪’ – ଉଭୟେ ଦାମୀ ଗାଡ଼ି ଚଢ଼ି ବୁଲୁଥିଲେ । ବିଏମଡବ୍ଲୁ ଏକ୍ସ ୩, ଫୋର୍ଡ ଏଣ୍ଡେଭର, ମାରୁତି ସୁଜୁକି ସୁଇଫ୍ଟ ଓ ମହିନ୍ଦ୍ରା ଥର୍ ଭଳି ଅନେକ ଗାଡ଼ି । ଏମିତିକି ଦାମୀ ହାର୍ଲି ଡେଭିଡସନ ଭଳି ବାଇକ୍ ମଧ୍ୟ ସେମାନଙ୍କର ରହିଛି । ସବୁ ଗାଡି଼ର ଗୋଟିଏ ଲକି ନମ୍ବର (୨୩୨୪) । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଏମାନେ କିଛି କାର୍ ରାଜନେତା ଓ ବ୍ୟବସାୟୀଙ୍କଠାରୁ ହାତେଇଛନ୍ତି । ୫ ବର୍ଷରେ ମାଲେମାଲ୍ – ଆକର୍ଷଣୀୟ ଚେହେରା ସାଙ୍ଗକୁ ହସ ହସ ମୁହଁ । ଆଉ ତାଙ୍କର ସେଥିରେ ଫସୁଥିଲେ ବଡ଼ ବଡ଼ ରାଜନେତା, ସିନେ ପ୍ରଯୋଜକ, ବିଲ୍ଡର । ମିଠା ମିଠା କଥା କହି ସେମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଯିଏ ଥରେ ଫସିଛି, ସିଏ ଆଉ ବାହାରି ପାରିନି ଅର୍ଚ୍ଚନାଙ୍କ ପଞ୍ଝାରୁ । ମାସିକିଆ ହିସାବରେ ବ୍ଲାକ୍ମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ନହେଲେ କାର, ସୁନା ଅଳଙ୍କାର, ଦାମୀ ଆସବାବପତ୍ର ଡିମାଣ୍ଡ କରୁଥିଲେ । ପୁଲିସର ସୂଚନା ମୁତାବକ, ପ୍ରାୟ ୫ ବର୍ଷ ଭିତରେ ଏସବୁ ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି । ଅର୍ଚ୍ଚନା କାହାଠୁ କେତେ ଠକିଛନ୍ତି, ତାହାର ତାଲିକା ପୁଲିସ ବନାଉଛି । କିଏ ସେ ଶ୍ରଦ୍ଧାରାଣୀ ? – ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ଫଟୋ ଭାଇରାଲ୍ ହେବା ଦିନଠୁ ଶ୍ରଦ୍ଧାରାଣୀ ବେହେରା ନାମକ ଯୁବତୀଙ୍କ ନାମ ସାମ୍ନାକୁ ଆସିଛି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଅର୍ଚ୍ଚନା ଏହି ଯୁବତୀଙ୍କୁ ମୋହରା କରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ କରିଥିଲେ । ପୁଲିସ ଏବେ ଶ୍ରଦ୍ଧାରାଣୀଙ୍କୁ ଖୋଜୁଛି । ଅର୍ଚ୍ଚନା ଏଭଳି କିଛି ଯୁବତୀଙ୍କୁ ମୋହରା କରି ପ୍ରଭାବଶାଳୀ ଓ ଧନୀକ ଶ୍ରେଣୀୟ ବ୍ୟକ୍ତିଙ୍କୁ ଚୂନ ଲଗାଉଥିବା ସୂଚନା ମିଳିଛି । ୬ ଲକ୍ଷର ଧଳା ଘୋଡ଼ା – ଜଗବନ୍ଧୁ ତାଙ୍କ ଫେସ୍ବୁକ୍ ପେଜ୍ରେ ଗତ ମେ ୨୫ ତାରିଖରେ ଏକ ଧଳା ରଙ୍ଗର ଘୋଡ଼ା ଫଟୋ ପୋଷ୍ଟ କରିଛନ୍ତି । ଘୋଡ଼ାଟି ତାଙ୍କ ଘରର ‘ନୂଆ ସଦସ୍ୟ’ ବୋଲି ଜଗବନ୍ଧୁ ଫେସ୍ବୁକ୍ରେ ଉଲ୍ଲେଖ କରିଥିଲେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଘୋଡ଼ାକୁ ୬ ଲକ୍ଷ ଦେଇ କୋଲକାତାରୁ କିଣାଯାଇଥିଲା । ବାଲିଅନ୍ତା ଥାନା ଅଧୀନସ୍ଥ ଫାର୍ମହାଉସ୍ରେ ଏହି ଘୋଡ଼ା ରଖାଯାଇଥିଲା । ଏହାବାଦ୍ ଆହୁରି ୨ଟି କଳା ଘୋଡ଼ା କିଣିବାକୁ ଉଭୟେ ଯୋଜନା କରିଥିବା ସୂଚନା ମିଳିଛି ।





