ପୁରୀ, (ବାଘୁଆବାର୍ତ୍ତା): ନାବାଳକଙ୍କୁ ଯୌନ ନିର୍ୟାତନା ଦେବା ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଗିରଫ। ଗିରଫ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡିସାହିର ୪୨ ବର୍ଷିୟ ସୁଦର୍ଶନ ମିଶ୍ର। ଶ୍ରୀମନ୍ଦିର ଭିତରେ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ସଂସ୍କୃତ ଟୋଲ୍ରେ ବେଦ ଶିକ୍ଷା କରୁଥିବା ଜଣେ ୧୩ ବର୍ଷିୟ ନାବାଳକଙ୍କୁ ସୁଦର୍ଶନ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ଆସିଥିଲା। ଯେତେବେଳେ ସୁଯୋଗ ପାଉଥିଲେ, ସୁଦର୍ଶନ ତାଙ୍କୁ ଜବରଦସ୍ତି କୌଣସି ଆଢୁଆଳକୁ ଟେକି ନେଇ ଯୌନ ନିର୍ୟାତନା ଦେଉଥିଲେ ବୋଲି ସଂପୃକ୍ତ ନାବାଳକ ଜଣକ ଅଭିଯୋଗ କରିଥିଲେ। ଗତ ଦେଢ଼ ମାସ ଧରି ସେ ଏପରି କରୁଥିବା ନେଇ ନାବାଳକ ଜଣକ କହିଛନ୍ତି। ମଙ୍ଗଳବାର ଦିନ ନିଳାଦ୍ରୀ ବିହାର ମ୍ୟୁଜିୟମ ପାଖରେ ଯୌନ ନିର୍ୟାତନା ଦେବା ପରେ ନାବାଳକ ଜଣକ ସିଂହଦ୍ୱାର ଥାନାକୁ ଆସି ଏତଲା ଦେଇଥିଲେ। ତେବେ ପୁରୀ ଅତିରିକ୍ତ ଏସ୍ପି ମିହିର ପଣ୍ଡା କହିଛନ୍ତି, ସଂପୃକ୍ତ ନାବାଳକକୁ ଯୌନ ନିର୍ୟାତନା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ଯାତ୍ରୀ ଗୁମାସ୍ତା ସୁଦର୍ସନ ମିଶ୍ରଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।





