ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶ ଥାନା ଜାମୁପାଟଣା ବିଜେ ଶ୍ରୀ ଶ୍ରୀ ଦ୍ୱିତୀକେଶ୍ୱର ମହାଦେବଙ୍କ ମନ୍ଦିର ହୁଣ୍ଡିବାକ୍ସ ଭାଙ୍ଗି ଚୋରି ହୋଇଥିବା ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆଜି ସକାଳ ପ୍ରାୟ ୬ ଘଟିକା ସମୟରେ ମନ୍ଦିର ସେବାସୀ ଗୋଲା ପ୍ରଧାନ ମନ୍ଦିର ଖୋଲିବା ସମୟରେ ମନ୍ଦିର ମୁଖଶାଳା ତାଲା ସମେତ କାର୍ଯ୍ୟାଳୟ ତାଲା ବଡ଼ ମନ୍ଦିର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏଥି ସହିତ ବଡ଼ ବନ୍ଦିର ମଧ୍ୟରେ ଥିବା ହୁଣ୍ଡି ବାକ୍ସଟି ନଥିବାବେଳେ ତା ମଧ୍ୟରେ ଥିବା ୩୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ଖବର ପାଇ ପରିଚାଳନା କମିଟି ସଦସ୍ୟ ନାରାୟଣ ପରିଡା ଘଟଣା ସ୍ଥଳରେ ପହଞ୍ଚିବା ପରେ ଓଡ଼ଗାଁ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଓଡ଼ଗାଁ ପୁଲିସ ଏ.ଏସ.ଆଇ ମନୋଜ ପାତ୍ରଙ୍କ ସମେତ ଏକ ଟିମ ମନ୍ଦିରରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ଅନ୍ଧାର ରାତିର ସୁଯୋଗ ନେଇ କେହି ଦୁର୍ବୁତ୍ତ ଏଭଳି କାଣ୍ଡ କରିଥିବା ନେଇ ପୁଲିସ ସନ୍ଦେହ କରୁଛି । ଖୁବ ଶୀଘ୍ର ଚୋରକୁ କାବୁ କରାଯିବ ବୋଲି ପୁଲିସ କହିଛି ।





