ଧର୍ମଗଡ଼, (ବାଘୁଆବାର୍ତ୍ତା): ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ୍ରୁ ୩ କୁଇଣ୍ଟାଲ ୨୦ କେ.ଜି ଗଞ୍ଜେଇ ଜବତ କରିବା ସହିତ ଜଣେ ଗଞ୍ଜେଇ ଚାଲାଣକାରୀ ଗିରଫ କଲା କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ। ରାୟଗଡ଼ା ପଟୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପୂର୍ବରୁ ସୂଚନା ପାଇ କଳାହାଣ୍ଡି ସୀମା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଲାଠିଆଗୁଡା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ଛକି ବସିଥିଲା। ଏହି ସମୟରେ ଏକ ନମ୍ବର ବିହୀନ ପିକଅପ୍ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ଥିଲା। ହେଲେ ଅବକାରୀ ବିଭାଗକୁ ଦେଖି ପିକଅପଟି ସେଠାରୁ ଦ୍ରୁତଗତିରେ ଫେରାର ମାରିଥିଲା । ଗାଡିଟି ଦ୍ରୁତ ଗତିରେ ବିଜୁ ଏକ୍ସପ୍ରେସ ୱେ ଆମପାଣି ଦେଇ ଯାଉଥିବା ବେଳେ ଖବର ପାଇ ଘଣ୍ଟିଗୁଡା ଛକରେ ଧର୍ମଗଡ ଅବକାରୀ କର୍ମଚାରୀ ଜଗିଥିବା ଦେଖି ଡ୍ରାଇଭର ଗାଡିକୁ ସହାଜଖୋଲ ଜଙ୍ଗଲ ଭିତରକୁ ନେଇ ଯାଇଥିଲା ଏବଂ ସେଠାରେ ଗାଡ଼ିରେ ଥିବା ଗଞ୍ଜେଇ ବସ୍ତା ଗୁଡିକୁ ଫିଙ୍ଗି ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଏକ ପଥରରେ ଗାଡି ପିଟି ହୋଇ ସେଠି ଅଟକି ଯାଇଥିଲା । ଫଳରେ ଅବକାରୀ କର୍ମଚାରୀ ଜଣେ ଚାଲାଣକାରୀକୁ ଗିରଫ କରିଥିଲେ ଏବଂ ପିକଅପ୍ ଗାଡିକୁ ଜବତ କରିଥିଲେ । ଗିରଫ ହୋଇଥିବା ଗଞ୍ଜେଇ ଚାଲାଣକାରୀ ହେଲେ କୋକସରା ବ୍ଲକ ସାନପୋଡାଗୁଡା ଗାଁର ସୁନ୍ଦର ପୂଝରୀ ବୋଲି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।





