ପୁରୁଷୋତ୍ତମପୁର, (ବାଘୁଆବାର୍ତ୍ତା): ଦୀର୍ଘ ୨୧ ବର୍ଷ ତଳେ ସୁରଟରେ ହତ୍ୟା ଅପରାଧ ଘଟାଇ ଅଭିଯୁକ୍ତ ଚମ୍ପଟ ମାରିଥିଲା। ପୁଲିସ ଖୋଜାଖୋଜି କରୁଥିଲେ ହେଁ ଅଭିଯୁକ୍ତ ସେଠାରୁ ଚାଲି ଆସି ନିଜ ଶ୍ବଶୁର ଗାଁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗଡ଼ ସାହି ନିକଟ ନୂଆ ବସ୍ତିରେ ଲୁଚି ରହି ଆସୁଥିଲା। ପୁଲିସ ଆଖିରେ କୌଣସି ମତେ ଏତେ ବର୍ଷ ଧୂଳି ଦେବାରେ ସଫଳ ହୋଇଥିବା ଅଭିଯୁକ୍ତ ତଥା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମର ଶଙ୍କର ବେହେରାକୁ ଶେଷରେ ଗିରଫ କରାଯାଇଛି। ୨୧ ବର୍ଷ ପରେ ହତ୍ୟା ଅଭିଯୁକ୍ତ ଶଙ୍କରଙ୍କୁ ସୁରଟ ପୁଲିସ ପୁରୁଷୋତ୍ତମପୁର ପୁଲିସ ସହାୟତାରେ ଶନିବାର ଗିରଫ କରିବାରେ ସଫଳ ହୋଇଛି। ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସୂଚନା ମୁତାବକ ଶଙ୍କର ବେହେରା ୨୧ ବର୍ଷ ତଳେ ସୁରଟରେ ରହି କାମ କରୁଥିଲା। ତେବେ ୨୦୦୧ ମସିହାରେ ସେଠାକାର ପାଣ୍ଡସରା ଥାନା ଇଲାକାରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ପାଣ୍ଡସରାରେ ଶଙ୍କର ବିରୋଧରେ ବିଭିନ୍ନ ଦଫା ଲଗାଇ ଏକ ହତ୍ୟା ମାମଲା ୩୬/୨୦୦୧ ରୁଜୁ କରାଯାଇ ଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିବାକୁ ପ୍ରୟାସ ଚଳାଇଥିଲା। ହେଲେ ସେଠାରୁ ଲୁଚି ଆସି ଶଙ୍କର ପୁରୁଷୋତ୍ତମପୁରରେ ଆତ୍ମଗୋପନ କରିଥିଲା। ତେବେ ବର୍ତ୍ତମାନ କୌଣସି ସୂତ୍ରରୁ ପାଣ୍ଡସରା ପୁଲିସ ଅଭିଯୁକ୍ତ ପୁରୁଷୋତ୍ତମପୁର ସହରରେ ରହୁଥିବା ସୂଚନା ପାଇ ଶନିବାର ପୁରୁଷୋତ୍ତମପୁରରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ଶଙ୍କର ବେହେରାକୁ ଗିରଫ କରିଛି। ମାଛ ଧରିବାକୁ ଯାଇ ଫେରୁଥିବା ସମୟରେ ଶଙ୍କରକୁ କନକା ସାହି ଛକ ଠାରେ କାବୁ କରି ନେଇଥିଲା ପୁଲିସ। ସ୍ଥାନୀୟ କୋର୍ଟରେ ହାଜର କରି ରିମାଣ୍ଡରେ ଶଙ୍କରଙ୍କୁ ରବିବାର ସୁରଟ ନେଇ ତଦନ୍ତ ଆଗକୁ ବଢାଇବାକୁ ଗୁଜରାଟ ପୁଲିସ ଯୋଜନା କରୁଥିବା ସୂଚନା ମିଳିଛି।





