ବାଙ୍ଗିରିପୋଷି, (ବାଘୁଆବାର୍ତ୍ତା): ମାରଣାସ୍ତ୍ର ଦେଖାଇ ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଦ୍ୱାରଶୁଣୀ ଘାଟୀରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ଅନ୍ୟ ଜଣେ ଆଇକ୍ ଆରୋହୀଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରକାଶ ଥାଉକି, ବୈଶିଙ୍ଗା ଥାନା ଅନ୍ତର୍ଗତ ମୋଗୁସିରିଆ ଗ୍ରାମର ଚକ୍ରଧର ମହାନ୍ତ ବାଇକ ଯୋଗେ ବୈଶିଙ୍ଗାରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ଘାଟୀ ମଧ୍ୟଭାଗରେ ୩ ଜଣ ବ୍ୟକ୍ତି ଘାଟୀରେ ଖରାପ ରାସ୍ତାରେ ତାଙ୍କୁ ଅଟକାଇଥିଲେ। ତାଙ୍କୁ ମାଡ଼ ମାରି ତାଙ୍କ ନିକଟରୁ ୪ ହଜାର ଟଙ୍କା ସହିତ ବ୍ୟାଙ୍କ କାଗଜପତ୍ର ଲୁଟିନେଇ ଦ୍ରୁତ ଗତିରେ ବାଙ୍ଗିରିପୋଷି ଆଡ଼କୁ ପଳାଇଥିଲେ । ବାଙ୍ଗିରିପୋଷି ପୋଲିସ ଘଟଣା ବିଷୟରେ ଖବର ପାଇ ବିଭିନ୍ନ ଥାନାକୁ ଅବଗତ କରାଇବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖବର ଲେଖାଯିବା ପର୍ୟ୍ୟନ୍ତ ଦୁର୍ବୃତ୍ତ ମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।





