ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଧରକୋଟ ଥାନା ମୁଣ୍ଡମରେଇର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ପାତ୍ର ଗିରଫ। ଅପରାଧୀ ଜଗା ପାତ୍ର ନାଁରେ ରହିଛି ୧୯ଟି ମାମଲା। ଗତ ପଞ୍ଚାୟତ ନିର୍ବାଚନରେ ଜଗା ନାମରେ ପଳାତକ ନୋଟିସ ଜାରି ହୋଇଥିଲା। ଗିରଫ ଭୟରେ ସେ ପୋଲିସକୁ ବିଭିନ୍ନ ସମୟରେ ଚକ୍ମା ଦେଉଥିଲା। ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଏସଡିପିଓ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଜଗାକୁ ଗିରଫ କରାଯାଇଛି। ଏହି ଟିମ୍ରେ ଧରାକୋଟ ଆଇଆଇସିଙ୍କ ସମେତ ପାଟପୁର ଆଇଆଇସି ଓ ବହୁ ଅଧିକାରୀ ସାମିଲ ଥିଲେ। ସୂଚନାନୁଯାୟୀ, ଜଗା ଦୀର୍ଘଦିନ ହେବ ପୋଲିସକୁ ଚକମା ଦେଇ ଜିଲ୍ଲାରୁ ଜିଲ୍ଲା, ରାଜ୍ୟରୁ ରାଜ୍ୟ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରି ରହି ଆସୁଥିଲା। ହେଲେ ପୋଲିସ ଜଗାର ଗତିବିଧି ଉପରେ ନଜର ରଖିଥିଲା। ତାର ମୋବାଇଲ ଟ୍ରାକ୍ କରାଯାଉଥିଲା। ଶେଷରେ ଆଜି ଭୋର୍ ସମୟରେ ଭୁବନେଶ୍ୱରରୁ ଜଗାକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଜଗାକୁ ଗିରଫ କରି ପୋଲିସ ଅଧିକ ତଦନ୍ତ କରୁଛି। ଏନେଇ ଆସିକା ଏସଡିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି।





