ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଜଣଙ୍କ ଶରଣକୁଳ ଥାନା ନୂଆଗାଁ ଡୁକେଶରପୁର ମୁରଲୀ ନାୟକଙ୍କ ପୁତ୍ର କାହ୍ନୁ ନାୟକ । ୨୦୧୬ ମସିହା ଅଗଷ୍ଟ ୪ ତାରିଖରେ ଜନୈକ ଯୁବତୀ ଶରଣକୁଳ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ରାତିରେ ସେ ନିଜ ଘରେ ଶୋଇଥିବା ଅବସ୍ଥାରେ ନିଜର ପଡୋଶୀ କାହ୍ନୁ ନାୟକ କବାଟ ଠକ ଠକ କରିଥିଲେ । ଯୁବତୀ ଜଣକ କିଏ ବୋଲି ପଚାରିବାରୁ ଅଭିଯୁକ୍ତ ଚୁପ ରହି ପୁଣି କବାଟ ବାଡାଇଥିଲା । ଶେଷରେ କବାଟ ଖୋଲି ଘରେ ପଶି ଯୁବତୀ ଜଣକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଯୁବତୀ ଏଥିରେ ଚିତ୍କାର କରିବାରୁ ତା ପାଟିକୁ ଗାମୁଛାରେ ଚାପି ଦେଇ ତାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଶେଷରେ ଅଭିଯୁକ୍ତ ନାମରେ କୋର୍ଟରେ ଚାର୍ଜ ସିଟ ଦାଖଲ କରିଥିଲା । ଶରଣକୁଳ ଥାନା ଏସଆଇ ବିରଞ୍ôଚ ନାରାୟଣ ଅମାତ ଘଟଣାର ତଦନ୍ତ କରିଥିଲେ । ଏହି ଘଟଣା ନୟାଗଡ଼ ମହିଳା କୋର୍ଟରେ ବିଚାରଧିନ ଥିବା ବେଳେ ଗତ କିଛି ଦିନ ତଳେ ତ୍ୱରିତ ବିଚାର ପ୍ରକ୍ରିୟରେ ସାମିଲ ହୋଇ ଫାଷ୍ଟ ଟ୍ରାକ ଷ୍ପେସିଆଲ କୋର୍ଟକୁ ସ୍ଥାନାନ୍ତିରିତ ହୋଇଥିଲା । ୧୨ ଜଣ ସାକ୍ଷୀ, ମେଡିକାଲ ରିପୋର୍ଟ ପ୍ରତିପକ୍ଷ ଓ ସରକାରୀ ଓକିଲଙ୍କ ଯୁକ୍ତିକୁ ତର୍ଜମା କରି ବିଚାରପତି ଅଭିଯୁକ୍ତକୁ ୨ଟି ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ପିଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅମିୟ ପଟ୍ଟନାୟକ ପରିଚାଳନା କରୁଥିଲେ ।





