ନୂଆପଡ଼ା, (ବାଘୁଆବାର୍ତ୍ତା): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ବୋଇରଗାଁରେ ଜଣେ ଯୁବକଙ୍କୁ ଗାଁର ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ । ଏହି ଘଟଣାରେ ବୋଡେ଼ନ ପୁଲିସ ତଦନ୍ତ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୯ ତାରିଖ ରାତିରେ କେରାପଦର ଗାଁର ଗଦାଧର ରାଉତ(୪୨) କୌଣସି କାମରେ ବୋଇରଗାଁକୁ ଯାଇଥିଲେ । ଗାଁର ଗଣେଶ ପୂଜା ମଣ୍ଡପ ନିକଟରେ ନିଶାଶକ୍ତ ଅବସ୍ଥାରେ ଗାଁର ଯୁବକମାନଙ୍କ ସହ ଯୁକ୍ତିତର୍କ କରି ଝଗଡା କରି ମାଡପିଟ କରିଥିଲେ । ଏଥିରେ ଗାଁର ଯୁବକ ମାନେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରି ନିର୍ଧୁମ ମାଡ଼ କରିଥିଲେ । ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଗଦାଧର ଗାଁରେ ପହଞ୍ଚିଥିଲେ । ତା’ ପରଦିନ ସକାଳେ ଗଦାଧରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଗଦାଧରଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲ ରେ ଭର୍ତ୍ତି କରିଥିଲେ । ଗତ ୧୩ ତାରିଖରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଗଦାଧରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଗଦାଧରଙ୍କ ଭାଇବୋହୁ ରଶ୍ମିତା ରାଉତ ବୋଡେ଼ନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ବୋଡେ଼ନ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ବୋଡେ଼ନ ପୁଲିସ ବୋଇରଗାଁର ୯ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟଦେବ ପାଣ୍ଡେ(୧୯), ତାପସ ରଞ୍ଜନ ମାଝି(୨୧), ରୁଦ୍ରଦେଵ ପାଣ୍ଡେ(୨୧), ଭୈରବସିଂ ପାଣ୍ଡେ(୨୧), ରୋହିତ ପାଣ୍ଡେ(୧୮), ପବିତ୍ର ମାଝି(୨୧), ଟିକେରାମ ମାଝି(୧୯), ରୂପସିଂ ପାଣ୍ଡେ(୨୩), ପୁରୁଷୋତ୍ତମ ପାଣ୍ଡେ(୩୪) । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି ।





