ମନମୁଣ୍ଡା, (ବାଘୁଆବାର୍ତ୍ତା): ମନମୁଣ୍ଡା ପୁଲିସକୁ ରବିବାର ଏକ ବଡ଼ ସଫଳତା ମିଳିଛି । ନିଶା ସେବନକାରୀଙ୍କ ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ବିପୁଳ ପରିମାଣର କଫ ସିରଫ ଓ ବଟିକା ଜବତ କରିବାରେ ସକ୍ଷମ ହୋଇଛି ପୋଲିସ। ଆଇଆଇସି ଗୋପୀନାଥ ପ୍ରଧାନଙ୍କ ତତ୍ତ୍ବାବଧାନରେ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ମନମୁଣ୍ଡା ପୁଲିସ ଏନଏଚ ୫୭ ମନମୁଣ୍ଡା ତେଲନଦୀ କୂଳ ଗାନ୍ଧି ଛକରେ ଗାଡିମୋଟର ଯାଞ୍ଚ କରୁଥିଲା । ଏହି ସମୟରେ ଏକ ଧଳା ରଙ୍ଗର ଡିଜାୟାର କାର ନଂ ଓଆର୦୨ ବିସି୩୪୬୩ ବୌଦ୍ଧ ଦିଗରୁ ସୋନପୁର ଆଡକୁ ଯାଉଥିଲାବେଳେ ପୁଲିସକୁ ଦେଖି ଗାଡି ବୁଲାଇ ଦ୍ରୁତଗତିରେ ପଳାଇ ଯାଉଥିଲା । ପରେ ପୁଲିସ ତାହାକୁ ଗୋଡ଼େଇ ଧରିଥିଲା। ସନ୍ଦେହରେ ଗାଡି ଯାଞ୍ଚ କରିବାରୁ ଗାଡିର ପଛ ଡିକିରେ ୬୪୦ ବୋତଲ କଫ ସିରଫ (ପ୍ରତ୍ୟେକ ୧୦୦ ଏମଏଲ ପରିମାଣ), ତନ୍ମଧ୍ୟରୁ ୧୦ଟି ବୋତଲ ଭାଙ୍ଗି ଯାଇଥିଲା ଏବଂ ଅଧିକ ନିଶା ପାଇଁ ୪ଷ୍ଟ୍ରିପ କ୍ଲୋନାଫିଡ଼ ୦.୫ ଏମଜି ଟ୍ୟାବ୍ଲେଟ ବାହାରିଥିଲା। ପୁଲିସ ଉକ୍ତ କଫ ସିରଫ, ବଟିକା ସହ କାରକୁ ଜବତ କରିଥିଲାବେଳେ କାର ଚାଳକକୁ ଗିରଫ କରିଥିଲା । କାର ଚାଳକ ତଥା ଅଭିଯୁକ୍ତ ବଲାଙ୍ଗୀର ସହର ମାଲପଡାର ପୁରୁଷୋତ୍ତମ ମେହେରଙ୍କ ପୁଅ ଜଗବନ୍ଧୁ ମେହେର(୩୩) ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଉକ୍ତ ସାମଗ୍ରୀର ଉପଯୁକ୍ତ ଆଇନ ସଂଗତ କାଗଜ ଦେଖାଇପାରିନ ଥିଲା । ଏହାଦ୍ୱାରା ନିଶା ସେବନକାରୀମାନଙ୍କୁ ବିକ୍ରି ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ପ୍ରମାଣିତ ହୋଇଥିଲା। ଏ ନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ମନମୁଣ୍ଡା ଥାନାରେ ଆଜି ଏକ ପ୍ରେସମିଟ କରି ଏ ସବୁ ତଥ୍ୟ ପ୍ରଦାନ କରିଥିଲେ।





