ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସାଇବର ଠକ ଏବେ ସମାଜର ସବୁ ବର୍ଗ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ହ୍ୱାଟ୍ସ୍ଆପ୍ରେ ଭିଡିଓ କଲ୍ କରି ଅଶ୍ଲୀଳ ଛବି ଦେଖାଉଛନ୍ତି । ମାତ୍ର କିଛି ସେକେଣ୍ଡର ଅଶ୍ଲୀଳ ଭିଡିଓ ଦେଖାଇ କଲ୍ କାଟି ଦେଉଛନ୍ତି । ଏହି କଲ୍ର ସ୍କ୍ରିନ୍ ସଟ୍ ନେଇ ଆରମ୍ଭ ହେଉଛି ବ୍ଲାକ୍ମେଲିଂ । ବ୍ରହ୍ମପୁରରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ସାଇବର ଠକ ଏଭଳି ଜାଲରେ ଫସାଇବାକୁ ଚେଷ୍ଟା କରି ଫେଲ୍ ମାରିଛନ୍ତି । ସାମ୍ବାଦିକ ଜଣକ ଏ ସମ୍ପର୍କରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ସେହି ନମ୍ବରକୁ ବ୍ଲକ୍ କରିବା ସହ କୌଣସି ଅଜଣା ଫୋନ୍ ନମ୍ବରରୁ କଲ୍ ଆସିଲେ ରିସିଭ୍ ନକରିବାକୁ ସାଇବର ଥାନା ପୁଲିସ ପରାମର୍ଶ ଦେଇଛି । ବୁଧବାର ରଙ୍ଗେଇଲୁଣ୍ଡା ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ କାର୍ୟ୍ୟ ସାରି ଘରେ ବିଶ୍ରାମ ନେଉଥିଲେ । ରାତି ୯ଟା ୩୬ରେ ତାଙ୍କୁ ହ୍ୱାଟସ୍ଆପ୍ରେ ଭିଡିଓ କଲ୍ ଆସିଥିଲା । ସେ କଲ୍ ରିସିଭ୍ କରିବା କ୍ଷଣି ଜଣେ ଯୁବତୀ ଉଲଗ୍ନ ହୋଇ ଠିଆ ହୋଇଥିଲେ । ଏଭଳି ଅଶ୍ଲୀଳତା ଦେଖିବା କ୍ଷଣି ସେ ଫୋନ୍ କଲ୍ କାଟି ଦେଇଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ହ୍ୱାଟସ୍ଆପ୍ରେ ସେହି ନମ୍ବରରୁ ଏକ ମେସେଜ୍ ଆସିଥିଲା । ଟଙ୍କା ଦେ’ ନହେଲେ ଏହି ମେସେଜ୍ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବି । ସାମ୍ବାଦିକ ଜଣକ କିଛି ଉତ୍ତର ନଦେଇ ସେହି ନମ୍ବର ବ୍ଲକ୍ କରି ଦେଇଥିଲେ । ପରେ ଆଉ ଏକ ନମ୍ବରରୁ ମଧ୍ୟ ମେସେଜ୍ ଆସିଥିଲା । ସଂପୃକ୍ତ ନମ୍ବର ମଧ୍ୟ ସେ ବ୍ଲକ୍ କରିଥିଲେ । ଗୁରୁବାର ସକାଳେ ସେ ବ୍ରହ୍ମପୁର ସାଇବର ଥାନାରେ ପହଞ୍ଚି ଏ ସମ୍ପର୍କରେ ଏତଲା ଦେଇଥିଲେ । ସାଇବର ଥାନା ପୁଲିସ ନମ୍ବରକୁ ବ୍ଲକ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ସହରରେ ଏଭଳି ବହୁ ପ୍ରତିଷ୍ଠିତ ଲୋକଙ୍କୁ କଲ୍ ଆସୁଥିବା ଅଭିଯୋଗ ହୋଇଛି ।





