ଜଗତସିଂହପୁର, (ବାଘୁଆବାର୍ତ୍ତା): ୨୦ ଲକ୍ଷ ଟଙ୍କାର ହେରୋଇନ୍ ଜବତ। ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଦୁଇଟି ସ୍ଥାନରେ ଚଢ଼ାଉ କରି ୨୦ ଲକ୍ଷ ଟଙ୍କାର ହେରୋଇନ୍ ଜବତ କରିଛି। ଏହା ସହ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନାନୁଯାୟୀ, ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ପୂର୍ବ ପ୍ରସ୍ତୁତ ଅନୁସାରେ ଗୋପାଳସାଗର ଓ ଚର୍ଚ୍ଚିକା ବଜାର ନିକଟରେ ଚଢ଼ାଉ କରି ୨୦୫ ଗ୍ରାମର ହେରୋଇନ୍ ଜବତ କରିଛି। ଏହା ସହିତ ଏଥିରେ ସମ୍ପୃକ୍ତ ଥିବା ସରୋଜ କୁମାର ସ୍ୱାଇଁ ଏବଂ ରାଜେନ୍ଦ୍ର ହାତୀ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଗତକାଲି ଏହି ଚଢାଉ କରାଯାଇଥିବା ବେଳେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।





