ପାରାଦୀପ, (ବାଘୁଆବାର୍ତ୍ତା): ପାରାଦୀପ ଲକ୍ ଥାନା ଅଧୀନ ଏକ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗତ ୪ ଦିନ ହେଲା ଅପହରଣ କରାଯାଇଥିବା ଅଭିଯୋଗ ଉଠିଛି । ନାବାଳିକାକୁ ନିଜ ଗାଡ଼ିରେ ନେଇ ଏକ ଘର ଭିତରେ ୪ଦିନ ଧରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା। ସୂଚନା ମୁତାବିକ, ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ରାସ୍ତାରେ ପୂଜା କରିବାକୁ ଯାଉଥିବା ସମୟରେ ଅନିଲ ନାୟକ ତାଙ୍କୁ ଗାଡ଼ିରେ ବସିବାକୁ କହିଥିଲେ । ଏହା ପରେ ଏକ ଘରେକୁ ନେଇ ଶାରୀରିକ ନିର୍ୟ୍ୟାତନା ଦେବା ସହିତ ବଳପୂର୍ବକ ୪ଦିନ ଧରି ଦୁଷ୍କର୍ମ କରିଥିଲେ । ନାବାଳିକା ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତର ନଜରବନ୍ଦୀରେ ରହିଥିବାରୁ ବାହାରକୁ ବାହାରିବା ଅସମ୍ଭବ ହୋଇଥିଲା । ପରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ମା’ ଦେଇଥିବା ୫ ଶହ ଟଙ୍କାକୁ ଏକ ଛୋଟ ଝିଅକୁ ଦେଇ ନିଜର ଭଉଣୀକୁ ଦେବାକୁ କହିଥିଲା । ଯାହାଫଳରେ ଟଙ୍କା ଦେବାକୁ ଆସିଥିବା ଝିଅଠାରୁ ବିସ୍ତୃତ ସୂଚନା ପାଇବାପରେ ସମାଜସେବୀଙ୍କ ସହଯୋଗରେ ବାପା, ମାଆ ଝିଅଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସମସ୍ତ ଘଟଣା ଶୁଣିବା ପରେ ଲକଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲିସ ଅଭିଯୁକ୍ତ ଅନିଲ ନାୟକକୁ ଗିରଫ କରିବାରେ ସଫଳ ହେବା ସହ ଘଟଣାରେ ଆଉ କିଏ ସାମିଲ ଥିବାନେଇ ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତ ଅନିଲ ନାୟକକୁ ୪୫ ବର୍ଷରୁ ଊର୍ଧ୍ଵ ହୋଇଥିବା ବେଳେ ସେ ଏକାଧିକ ବିବାହ କରିଥିବା ନେଇ ନାବାଳିକାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ମଧ୍ୟ ଦାବି ହୋଇଛି ।





