ସୋର, (ବାଘୁଆବାର୍ତ୍ତା): ସୋର ସବ୍ଜେଲ୍ରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ଚମ୍ପଟ ମାରିଥିବା କଏଦୀ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ସୁଦାମ ବୋଲି ଜଣାପଡ଼ିଛି । ଦୁଷ୍କର୍ମ ମାମଲାରେ ସେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ । ଏହି ଘଟଣା ପରେ ଜେଲ କର୍ତ୍ତୃପକ୍ଷଙ୍କ ନିକମାପଣିଆ ପଦାରେ ପଡ଼ିଛି । ସୋର ସବ୍ଜେଲ ମଧ୍ୟରେ ବୁଧବାର ରାସ୍ତା କାମ ହେଉଥିଲା । ଏଥିରେ ସମସ୍ତ କଏଦୀଙ୍କ ପରି ସୁଦାମ ମଧ୍ୟ କାମ କରୁଥିଲା । ଏହି ସମୟରେ ଜେଲ୍ ପଛ ପଟ ଫାଟକ ଖୋଲାଥିଲା । ଏହାର ସୁଯୋଗରେ ସୁଦାମ ସେହି ବାଟ ଦେଇ ବିଲ ମଧ୍ୟରେ ଖସି ପଳାଇଥିଲା । ଜେଲ୍ କର୍ତ୍ତୃପକ୍ଷ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ପାଇ ନଥିଲେ । ସବ୍ଜେଲ୍ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବରୁ ଏପରି ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଜଣେ କଏଦୀ ଚମ୍ପଟ ମାରିବା ପରେ ତାକୁ ଖୋଜିବାକୁ କଏଦୀମାନଙ୍କୁ ପଠାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । ଏନେଇ ଜେଲର ପ୍ରିୟମ୍ବଦା ପଣ୍ଡାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ । ସ୍ପଷ୍ଟ ଦିବାଲୋକରେ ଜେଲ୍ରୁ କଏଦୀ ଚମ୍ପଟ ମାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି ।





