ଢେଙ୍କାନାଳ, (ବାଘୁଆବାର୍ତ୍ତା): ଗଣେଶ ମେଢ଼ ଭଷାଣୀକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଅପର ଗୋଷ୍ଠୀର ଜଣଙ୍କର ପେଟରୁ ଅନ୍ତଃବୁଜୁଳା ବହାରିପଡିଛି । ଗୁରୁତରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଛାଟିଆ ମଝିସାହିର ରଞ୍ଜନ ବେହେରା। ସେହିପରି ଆକ୍ରମଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ପ୍ରମୋଦ ରାଉତ। ସେ ଏବେ ଫେରାର ହୋଇଯାଇଛନ୍ତି । ସୂଚନା ଥାଉକି, ଛାଟିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଥିଲା। ଉଭୟଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମଣ୍ଡପରେ ଗଣେଶ ପୂଜା କରୁଥିଲେ। ତେବେ ଗଣେଶ ପୂଜା ଭଷାଣୀ ଉତ୍ସବରେ ଉଭୟ ମେଢ ଆଗରେ କିଏ ଯିବ ତାକୁ ନେଇ ବିବାଦ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ଗୋଷ୍ଠୀ ସଙ୍ଘର୍ଷରେ ଜଣେ ଗୁରୁତର ହୋଇଛନ୍ତି। ସେପଟେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବାରୁ ଛାଟିଆ ଗ୍ରାମରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଛାଟିଆ ଗ୍ରାମରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।





