ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପଟିପିଟି ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ସୌମ୍ୟ କୁଣ୍ଡ। ସୌମ୍ୟ ମେଟ୍ରୋ ଟାୱାର ନିକଟରେ ଚା’ ଦୋକାନ କରିଥିଲେ। ପୁଲିସ ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ଅଟୋ ଚାଳକ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନିଶା ଖାଇବା ପରେ ସୌମ୍ୟ ଓ ତାଙ୍କ ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସୌମ୍ୟଙ୍କୁ ତାଙ୍କ ଦୁଇ ସାଙ୍ଗ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପିଟିପିଟି ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ସୌମ୍ୟଙ୍କୁ କାହିଁକି ତାଙ୍କ ସାଙ୍ଗମାନେ ହତ୍ୟା କଲେ କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି ପୁଲିସ ଘଟଣାର ତଦନ୍ତ କରୁଛି। ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନ ବା ଡିସିପି ଅଫିସ ସମ୍ମୁଖରେ ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।





