ଭଦ୍ରକ, (ବାଘୁଆବାର୍ତ୍ତା): ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଂଚାୟତର ବେଦପୁର ଗାଁରେ ଘଟଣା । ଗତକାଲି ମଧ୍ୟ ରାତିରୁ ଆସନ୍ତା ୨ତାରିଖ ସାନ୍ଧ୍ୟ ପର୍ୟ୍ୟନ୍ତ ୧୪୪ ଧାରା ଜାରି କଲେ ଧାମନଗର ତହସିଲଦାର । ଗତକାଲି ଏହି ଗ୍ରାମର କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ । ଏହାକୁ ବିରୋଧ କରିଥିଲେ କ୍ଲବର ଯୁବକ ମାନେ । ଫଳରେ ଏହାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା । ଖବର ପାଇ ପୋଲିସ ଏବଂ ତହସିଲଦାର ପହଂଚି ଥିଲା ବେଳେ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେଣୁ ତହସିଲଦାର ଭଦ୍ରକ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେଠାରେ ୧୪୪ ଧାରା ଜାରି କରାଯିବ ସହିତ ପୋଲିସ ମୁତୟନ କରାଯାଇଛି ।





