Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକଙ୍କ ଟାର୍ଗେଟରେ ଓଡି଼ଶା, ଫସିଛନ୍ତି ୫୬୫ ମହିଳା

by ସଞ୍ଜୟ ସ୍ୱାଇଁ
August 31, 2022
in Crime, State
ସାଇବର ଠକଙ୍କ ଟାର୍ଗେଟରେ ଓଡି଼ଶା,  ଫସିଛନ୍ତି ୫୬୫ ମହିଳା
89
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାଇବର ଠକଙ୍କ ଟାର୍ଗେଟରେ ମହିଳା । ୨୦୨୧ରେ ଓଡି଼ଶାରୁ ୫୬୫ଜଣ ମହିଳା ଏହି ଅଦୃଶ୍ୟ ଠକଙ୍କ ଜାଲରେ ଫସିଛନ୍ତି । ଯାହାକି ଦେଶରେ ସର୍ବାଧିକ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଏହା ଦର୍ଶାଉଛି । ସାଇବର ଲୁଟେରାଙ୍କୁ ଧରିବା କି ଚାର୍ଜସିଟ୍‌ ଦାଖଲ କ୍ଷେତ୍ରରେ ସବୁ ବର୍ଷ ଭଳି ଏଥର ମଧ୍ୟ ରାଜ୍ୟ ପୁଲିସ୍‌କୁ ବିଫଳତାର ସ୍ୱାଦ ଚାଖିବାକୁ ପଡି଼ଛି । ଏନ୍‌ସିଆର୍‌ବି ରିପୋର୍ଟ ତଥ୍ୟ ମୁତାବକ, ଓଡି଼ଶା ତଳକୁ ଅର୍ଥାତ୍‌ ଦ୍ୱିତୀୟ ସ୍ଥାନରେ ରହିଛି ଆସାମ । ୨୦୨୧ରେ ଆସାମରୁ ୪୫୮ଜଣ ମହିଳା ସାଇବର ଜାଲରେ ପଡି଼ଥିଲେ । ତା’ ପଛକୁ ଉତ୍ତରପ୍ରଦେଶ (ୟୁପି)ରେ ୨୭୬, କେରଳରେ ୧୭୭ ଓ କର୍ଣ୍ଣାଟକରେ ୧୭୩ଜଣ ସାଇବର ଠକେଇର ଶିକାର ହୋଇଥିଲେ । ଓଡି଼ଶାର ୫୬୫ଜଣ ମହିଳାଙ୍କ ମଧ୍ୟରୁ ୩୦୧ ଜଣଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ କରାଯାଇଛି । ସେହିପରି ୨୬୪ଜଣ ମହିଳା ଅର୍ଥହାନୀ ଓ ବ୍ଲାକ୍‌ମେଲର ଶିକାର ହୋଇଛନ୍ତି । ନଚେତ୍‌ ସୋସିଆଲ୍‌ ମିଡିଆରେ ନକଲି ପ୍ରୋଫାଇଲ ବନାଇ ସେମାନଙ୍କୁ ବଦନାମ କରାଯାଇଛି । ବଡ଼ କଥା ହେଲା, ଅଶ୍ଳୀଳ ଫଟୋ ଓ ଭିଡିଓଗୁଡି଼କ ମୋବାଇଲ୍‌, କମ୍ପ୍ୟୁଟର ଓ ଅନଲାଇନ୍‌ ପ୍ଲାଟଫର୍ମରେ ଭାଇରାଲ ହୋଇଛି । ସେହିଭଳି ୨୬୪ଟି ମାମଲାରେ ଆପତ୍ତିଜନକ ଜିନିଷ ଭାଇରାଲ କରାଯାଇଛି । ୪୮ଟି ମାମଲାରେ ନାବାଳକଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ କରାଯାଇଛି । ତଥ୍ୟ କହୁଛି, ୨୦୨୦ରେ ଓଡ଼ିଶାରେ ୧୯୩୧ଟି ସାଇବର ଜନିତ ମାମଲା ରୁଜୁ ହୋଇଥିଲା । ୨୦୨୧ରେ ମୋଟ ୨୦୩୭ଟି ମାମଲା ସାମ୍ନାକୁ ଆସିଛି । ଯାହାକି, ୨୦୨୦ଠୁ ମାତ୍ର ୫.୪୯ ଧ ଅଧିକ । କିନ୍ତୁ ୨୦୧୯ ତୁଳନାରେ ୨୦୨୦ର ମାମଲା ସଂଖ୍ୟା ୩୧ ଧ ବଢ଼ିଥିଲା । ୨୦୧୯ରେ ୧୪୮୫ଟି ମାମଲା ରୁଜୁ ହୋଇଥିଲା । ସେହିବର୍ଷ ମୋଟ ୧୬ କୋଟି ୮ ଲକ୍ଷ ୮ ହଜାର ୭୪୬ ଟଙ୍କା ଠକେଇ ହୋଇଥିଲା । ୨୦୨୦ ମସିହାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା ଗାଏବ୍‌ ହୋଇଥିଲା । ଏହା ୨୦୧୯ ର ଠକେଇ ପରିମାଣଠୁ ୨ଗୁଣାରୁ ଅଧିକ ଥିଲା । ୨୦୨୧ରେ ମୋଟ ୩୫୯ଜଣ ପୁରୁଷ ଓ ୪ଜଣ ମହିଳା ସାଇବର ଅପରାଧୀଙ୍କୁ ପୁଲିସ ଜେଲ୍‌ ପଠାଇଥିଲା । ସେହିବର୍ଷ ୪୦୮ଜଣ ପୁରୁଷ ଓ ୪ଜଣ ମହିଳା ଅପରାଧୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ୨ଜଣ ଅଭିଯୁକ୍ତ ବିନା ଦୋଷରେ ଖଲାସ ହୋଇଛନ୍ତି । ୨୦୨୦ ମସିହାରେ ମାତ୍ର ୩୬୬ ଜଣ ସାଇବର ଠକ ପୁଲିସ୍‌ ପଞ୍ଝାରେ ପଡି଼ଥିଲେ । ସେଥିରେ ୧୦ ଜଣ ମହିଳା ଥିଲେ । ୨୦୧୯ରେ ଧରା ପଡି଼ଥିବା ୩୪୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ମହିଳା ଓ ୨୦୧୮ରେ ୨୬୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣ ମହିଳା ଥିଲେ । ୨୦୨୧ରେ ରାଜ୍ୟ ପୁଲିସ୍‌ ମାତ୍ର ୧୬.୨ ପ୍ରତିଶତ ମାମଲାରେ ଚାର୍ଜସିଟ୍‌ ଦାଖଲ କରିବାରେ ସକ୍ଷମ ହୋଇପାରିଛି । ପୂର୍ବରୁ ୧୧ଟି ମାମଲାର ଚାର୍ଜସିଟ୍‌ ଅଦାଲତରେ ଦାଖଲ ହୋଇଥିଲା । ୨୦୨୧ରେ ୩୦୨ ମାମଲାର ଚାର୍ଜସିଟ୍‌ ଦାଖଲ କରାଯାଇଛି । ଅଦାଲତରେ ମଧ୍ୟ ସାଇବର ଜନିତ ମାମଲା ଶୁଣାଣି ନୈରାଶଜନକ । ରାଜ୍ୟର ବିଭିନ୍ନ କୋର୍ଟରେ ୧୩୬୨ଟି ସାଇବର ମାମଲାର ଶୁଣାଣି ଚାଲିଛି । ପୂର୍ବରୁ ୧୦୪୯ଟି ମାମଲା ଥିବା ବେଳେ ୨୦୨୧ରେ ୩୧୩ଟି ମାମଲା ଶୁଣାଣି ପାଇଁ କୋର୍ଟକୁ ପଠାଯାଇଛି । ରାଜ୍ୟ ପୁଲିସ ପାଖରେ ଏଯାବତ୍‌ ମୋଟ ୩୭୦୫ ମାମଲାର ତଦନ୍ତ ଅଧାରେ ଅଟକିଛି । ଯାହାକି ସମୁଦାୟ ଠକେଇର ୬୫.୭ ଧ । ୩୭୦୫ରୁ ପୂର୍ବ ବର୍ଷଗୁଡି଼କରେ ୩୬୦୦ ମାମଲା ଅଟକିଥିଲା । ପୁଲିସ ୧୪୪୧ଟି ଏଭଳି ମାମଲାର ତଦନ୍ତ ସାରିଛି, ଯେଉଁଥିରେ ଭୁଲ ତଥ୍ୟ କିମ୍ବା ଜମିଜମା ବିବାଦ କିମ୍ବା ଆଇନ୍‌ଗତ ସମସ୍ୟା ରହିଛି । ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ବିନା ନଚେତ୍‌ ସାଇବର ଅପରାଧୀ ଠାବ ନହୋଇପାରିବାରୁ ୧୪୨ଟି ମାମଲା ତଦନ୍ତରେ ପୁଲିସ ବାଧ୍ୟ ହୋଇ ପୂର୍ଣ୍ଣଛେଦ ପକାଇଛି । ୨୦୨୧ରେ କମ୍ପ୍ୟୁଟର ସମ୍ପର୍କିତ ୧୪୭ଟି ସାଇବର ମାମଲା ସାମ୍ନାକୁ ଆସିଛି । ସେହିପରି ନକଲି ପରିଚୟ ଯୋଗେ ୧୪୫ଟି ଠକେଇ ହୋଇଛି । ଏଟିଏମ୍‌ କାର୍ଡ ଯୋଗେ ୨୧୭ଟି ମାମଲା, ଅନ୍‌ଲାଇନ୍‌ ବ୍ୟାଙ୍କିଂ ଜରିଆରେ ୬୮୭ଟି ମାମଲା ରୁଜୁ ହୋଇଛି । ଓଟିପି ନେଇ ୧୨୯ଜଣଙ୍କୁ ଠକିଛନ୍ତି । କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ନାଁରେ ୧୬୬ଜଣ ସାଇବର ଠକେଇ ଜାଲରେ ପଡି଼ଛନ୍ତି । ସମୁଦାୟ ୧୨୦୫ଟି ମାମଲାରେ ଅନ୍‌ଲାଇନ୍‌ ଠକେଇ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!