ତେଲକୋଇ, (ବାଘୁଆବାର୍ତ୍ତା): ପ୍ରେମ ବ୍ୟାପାରକୁ ନେଇ ତୁମୁଳକାଣ୍ଡ। ଶାବଳ ମାଡ଼ରେ ଯୁବକ ଗୁରୁତର। କେନ୍ଦୁଝର ଜିଲ୍ଲା ଶିବନାରାୟଣପୁରଗୋଡା ପଞ୍ଚାୟତ କମଳାଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ ଶିବନାରାୟଣପୁରଗୋଡା ପଞ୍ଚାୟତ କମଳାଙ୍ଗ ଗାଁର ନବ ମୁଣ୍ଡା ବୋଲି ଜଣାପଡ଼ିଛି। ସୂଚନାଯାୟୀ, କେନ୍ଦୁଝର ଜିଲ୍ଲା ଶିବନାରାୟଣପୁରଗୋଡା ପଞ୍ଚାୟତ ବାଙ୍ଗୁରୁପାଳ ଗାଁର ଜନୈକ ଯୁବକ ଜଣଙ୍କ କମଳାଙ୍ଗ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏନେଇ ସଂପୃକ୍ତ ଯୁବକଙ୍କୁ କମଳାଙ୍ଗ ଗାଁକୁ ଆସିବାକୁ ମନା କରିଥିଲେ ଗାଁର ରାଜୁ ମୁଣ୍ଡା । ତେବେ ସଂପୃକ୍ତ ଯୁବକ ବାଙ୍ଗୁରୁପାଳ ଗାଁର ନବ ମୁଣ୍ଡାଙ୍କ ସମ୍ପର୍କୀୟ ହୋଇଥିବାରୁ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଗାଁର ରାଜୁ ମୁଣ୍ଡା ଓ ନବ ମୁଣ୍ଡାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜୁ ମୁଣ୍ଡା ଶାବଳରେ ନବ ମୁଣ୍ଡାଙ୍କ କାନମୁଣ୍ଡାକୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ନବମୁଣ୍ଡା ଘଟଣାସ୍ଥଳରେ ଅଚେତ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।





