ଭୁବନେଶ୍ୱର/କଟକ, (ବାଘୁଆବାର୍ତ୍ତା): ସଫ୍ଟୱେର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ସପ୍ତାହେ ପୂରିଛି । ହେଲେ ଆତ୍ମହତ୍ୟାର କାରଣ ବିଷୟରେ କିଛି ଟେର ପାଇନି ପୁଲିସ୍ । ଗୁରୁବାର ୨ଟି ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ଗୋଟିଏ ହେଲା ସୌମ୍ୟଜିତ୍ ମହାପାତ୍ରଙ୍କ ନୂଆ ପ୍ରେମିକା ଓ ଅନ୍ୟଟି ଶ୍ୱେତାଙ୍କ ସାଙ୍ଗଙ୍କ ଚାଞ୍ଚଲ୍ୟକର ବୟାନ । ଏହି ୨ଟି ଖବର ପାଇ ପୁଲିସ୍ ଅଧିକ ସକ୍ରିୟ ହୋଇଛି । ଡିସିପିଙ୍କ ପ୍ରତୀକ ମୀନା ସିଂହ ଏକ ସ୍ପେଶାଲ୍ ଟିମ୍ ଗଠନ କରି ଘଟଣାର ତଦନ୍ତ କରୁଛନ୍ତି । ଶ୍ୱେତା ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ହେଲେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପାଇଁ ତାଙ୍କୁ କିଏ ପ୍ରର୍ବତ୍ତାଇଥିଲା କି? ମାନସିକ ଓ ଶାରୀରିକ ନିର୍ୟାତନ ଦିଆଯାଇଥିଲା କି? ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଥିଲା ଚନ୍ଦ୍ରଶେଖପୁର ଥାନା ପୁଲିସ୍ । ପୁଲିସ୍ ଜାଣିବାକୁ ପାଇଛି ଅଫିସ୍ରେ ଶ୍ୱେତା ଓ ସୌମ୍ୟଜିତ ପରସ୍ପରକୁ ଭଲ ପାଉଥିଲେ । ଉଭୟେ ସ୍ୱାମୀ-ସ୍ତ୍ରୀଙ୍କ ଭଳି ଚଳୁଥିଲେ । ଘର ଭଡ଼ା ନେଇ ଏକାଠି ରହୁଥିଲେ । ଏ କଥା ଉଭୟଙ୍କ ପରିବାର ଲୋକ ବି ଜାଣିଥିଲେ । ଏକାଠି ରହିବା ସମୟରେ ସୌମ୍ୟଜିତ୍ କିଛି ଅନ୍ତରଙ୍ଗ ସମୟରେ ଫଟୋ ଓ ଭିଡିଓ ନିଜ ଫୋନ୍ରେ ରଖିଥିଲେ । ଚାକିରି ଛାଡିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା । ଯେଉଁଥିରେ ଉଭୟଙ୍କ ପରିବାର ଲୋକ ହସ୍ତକ୍ଷେପ କରିଥିଲେ । ସୌମ୍ୟଜିତ୍ ଯେତେବେଳେ ଏମ୍ବିଏ ପଢ଼ିବାକୁ ଆସିଲେ ତା’ର କିଛି ମାସ ପରେ ହଠାତ୍ ଶ୍ୱେତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ । ପୁଲିସ୍ କହିଛି, ସୌମ୍ୟଜିତ୍ ଏମ୍ବିଏ ପଢ଼ିବା ସମୟରେ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ । ନୂଆ ପ୍ରେମିକା ପାଇବା ପରେ ଶ୍ୱେତାଙ୍କୁ ଭୁଲି ଯାଇଥିଲା । ଶ୍ୱେତା ନିଜ ଅଧିକାର ଜାହିର କରିବାକୁ ସୌମ୍ୟଜିତ୍ଙ୍କୁ ଫୋନ୍ କରି ଥାନାର ଭୟ ଦେଖାଉଥିଲେ । ହେଲେ ସୌମ୍ୟଜିତ୍ ତାଙ୍କୁ ଭିଡିଓ ଭାଇରାଲ୍ର ଧମକ ଦେଇ ବ୍ଲାକ୍ମେଲିଂ କରୁଥିଲା । ବ୍ଲାକ୍ମେଲିଂ ଓ ସୌମ୍ୟଜିତ୍ଙ୍କ ଦୂରେଇ ଯିବା ସହି ନ ପାରି ଶ୍ୱେତା ଏମିତି କରିଥିବା ପୁଲିସ୍ ଅନୁମାନ କରୁଛି । ଶ୍ୱେତାଙ୍କ ସାଙ୍ଗ ପ୍ରୀତିଶ ନାୟକ ଗଣମାଧ୍ୟମକୁ କହିଛନ୍ତି, ୨୦୧୩ ମସିହାରୁ ଶ୍ୱେତା ମୋର ଜଣେ ଉତ୍ତମ ବନ୍ଧୁ ଥିଲେ । ତାଙ୍କ ସହ ସବୁ କଥା ସେୟାର କରୁଥିଲେ । ୬ ମାସ ହେବ ସୌମ୍ୟଜିତ ସହ ଶ୍ୱେତାଙ୍କର ସମ୍ପର୍କ ଖରାପ ହେଲାଣି । ଶ୍ୱେତା ଏନେଇ ତାଙ୍କ ବାପାମା’ଙ୍କୁ କହିଥିଲେ । ଶ୍ୱେତାଙ୍କ ପରିବାର ଲୋକ ସୌମ୍ୟଜିତ୍ଙ୍କ ସମ୍ବଲପୁର ଘରକୁ ଯାଇ ଆଲୋଚନା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କିଛି ମାତ୍ରାରେ ସମାଧାନ ହୋଇଥିଲା । କିନ୍ତୁ ଏମ୍ବିଏ କରିବା ପାଇଁ ଗଲା ପରେ ଶ୍ୱେତାଙ୍କୁ ଠାରୁ ସମ୍ପର୍କ ଛିନ୍ନ କରିବା ଆରମ୍ଭ କରିଥିଲେ ସୌମ୍ୟଜିତ । ଶ୍ୱେତା କହିଥିଲେ, ଯଦି ରିଲେସନ୍ ରହିବ, ତା’ହେଲେ ବିବାହ ଜରୁରୀ । କାରଣ ସୌମ୍ୟଜିତ ପୂର୍ବରୁ ୩ ଜଣ ଝିଅଙ୍କୁ ଧୋକ୍କା ଦେଇଥିବା ଶ୍ୱେତା ଜାଣିପାରିଥିଲେ ବୋଲି ପ୍ରୀତିଶ କହିଛନ୍ତି । ତା’ଛଡା ଶ୍ୱେତାଙ୍କ ଅନ୍ତରଙ୍ଗ ଭିଡିଓ ବାବଦରେ ପ୍ରୀତିଶ ଜାଣିଥିବା ମଧ୍ୟ କରିଛନ୍ତି । ଶ୍ୱେତା ଏ ବିଷୟରେ ପ୍ରୀତିଶକୁ କହିଥିଲେ । ସେଥିପାଇଁ ସେ ମଧ୍ୟ ଭୟ କରୁଥିଲା । ଶ୍ୱେତା ବହୁତ ଲୟାଲ ଓ ଅନେଷ୍ଟ ଥିଲା । ସୌମ୍ୟଜିତଙ୍କୁ ଯେତେବେଳେ କୋଭିଡ୍ ହୋଇଥିଲା ଶ୍ୱେତା ମା’ ଭଳି ତା’ର ଯତ୍ନ ନେଇଥିଲା । ପ୍ରୀତିଶ ଗଣମାଧ୍ୟମକୁ ଯାହା ତଥ୍ୟ ଦେଇଛନ୍ତି ସେ ସବୁ ପୁଲିସ୍କୁ ମଧ୍ୟ ଜଣାଇଛନ୍ତି । ସେପଟେ ଶ୍ୱେତାଙ୍କ ହାତ ଲେଖା ଡାଏରୀର ୨ଟି ପୃଷ୍ଠା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଲେଖାଟି ୨୦୨୧ ଶେଷର ବୋଲି ଜଣାପଡିଛି । ମୃତ୍ୟୁର ବହୁ ପୂର୍ବରୁ ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ସେ ସେଥିରେ ଅନେକ କଥା ଲେଖିଛନ୍ତି । ଦିନକୁ ଦିନ ସମ୍ପର୍କ ମଜଭୁତ ହେଉଥିବା ଡାଏରୀରେ ଉଲ୍ଲେଖ କରିଛନ୍ତି । ଗୋଟିଏ ପୃଷ୍ଠାରେ ସେ(ସୌମ୍ୟଜିତ) ମୋତେ ସ୍ତ୍ରୀ ଭାବେ ଗ୍ରହଣ କରିଥିବା ଲେଖାଯାଇଛି । ଭଗବାନ ଆମର ସବୁ ସମସ୍ୟା ଦୂର କରନ୍ତୁ ବୋଲି ଲେଖା ରହିଛି । ଶେଷରେ ଲଭ ୟୁ ସୌମ୍ୟଜିଟ୍ଟ ଶ୍ୱେତା ବୋଲି ଲେଖା ରହିଛିଟ୍ଟ । କିଏ ଏହାକୁ ଭାଇରାଲ୍ କରିଛି ସେ ବିଷୟରେ ପୁଲିସ୍ ପାଖରେ କିଛି ଖବର ନାହିଁ । ଅନ୍ୟପକ୍ଷରେ ଗୁରୁବାର ଶ୍ୱେତାଙ୍କ ବାପା, ମା’ ଓ ଭାଇ ଡିସିପିଙ୍କୁ ଭେଟିଛନ୍ତି । ଶ୍ୱେତାଙ୍କର ୪ ଜଣ ସାଙ୍ଗ ସବୁ ଜାଣିଥିବା ଭାଇ ଡିସିପିଙ୍କୁ ଜଣାଇଛନ୍ତି । ଶ୍ୱେତାଙ୍କ କିଛି ମେସେଜ୍ ମଧ୍ୟ ଡିସିପିଙ୍କୁ ଦେଇଛନ୍ତି । ପୁଲିସ ଉପରେ ଭରସା ଅଛି । ତଦନ୍ତ ହେଲେ ସତ ବାହାରିବ ବୋଲି ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ କହିଛନ୍ତି । ସେପଟେ ପୁଲିସ୍ର ତଦନ୍ତ ଦେଖି ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ସୌମ୍ୟଜିତ୍ । ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ ଏହି ଘଟଣାରେ ସୌମ୍ୟଜିତ୍ଙ୍କ ବିରୋଧରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଗ୍ରହଣ କରି ପୁଲିସ୍ ଅଭିଯୁକ୍ତ ସୌମ୍ୟଜିତ୍ ବିରୋଧରେ ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ମାମଲା ରୁଜୁ କରିଛି । ସୌମ୍ୟଜିତ୍ ଫେରାର ହୋଇଯାଇଥିବା କୁହାଯାଉଛି ।





