ଫୁଲବାଣୀ, (ବାଘୁଆବାର୍ତ୍ତା): ବଳଦ କିଣା ବିକାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଲୁପଦର ଗାଁରେ। ଗୁଳିମାଡ଼ରେ ଜଣେ ଯୁବତୀ ତାଙ୍କର ୧୧ବର୍ଷ ବୟସର ନାବାଳକ ପୁତୁରା ଆହତ ହୋଇଛନ୍ତି। ଆହତମାନେ ହେଲେ ପ୍ରଭାସିନୀ ସାହାଣୀ ଓ ତାଙ୍କ ପୁତୁରା ସାବାଜନ ସାହାଣୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଭାସିନୀଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ନାବାଳକଙ୍କ ପେଟରେ ଗୁଳି ବାଜିଛି। ପ୍ରଭାସିନୀଙ୍କ ସମ୍ପର୍କୀୟ କହିବା ଅନୁସାରେ, ଶ୍ରୀପଲା ଗାଁର ସଞ୍ଜୟ ସାହାଣୀ ପ୍ରଭାସିନୀଙ୍କ ଭାଇ ମହେଶ୍ୱରଙ୍କଠାରୁ ବଳଦ କିଣି ନେଇଥିଲେ। ହେଲେ ଟଙ୍କା ଦେଇ ନ ଥିଲେ। ସେହି ଟଙ୍କା ମାଗିବା ପାଇଁ ଗତକାଲି ମହେଶ୍ୱର ଶ୍ରୀପଲା ଗାଁକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ସଂଜୟ ସହିତ ତାଙ୍କର ବଚସା ହୋଇଥିଲା। ପରେ ମହେଶ୍ୱର ନିଜ ଘରକୁ ଫେରିଆସିଥିଲା। ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ସଂଜୟ ତାର ଦୁଇଜଣ ସହଯୋଗୀ ମହେଶ୍ୱରଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ। ପରେ ଏକ ଦେଶୀ ବନ୍ଧୁକ ବାହାର କରି ଗୁଳି ଗୁଳି କରିଥିଲେ। ଗୁଳିଟି ପ୍ରଭାସିନୀ ଓ ସାବାଜନ ଉପରେ ବାଜିଥିଲା। ପରେ ସଞ୍ଜୟ ଓ ତାର ସହଯୋଗୀ ଘଟଣାସ୍ଥଳରୁ ଦୌଡ଼ି ପଳାଯାଇଥିଲେ। ଏନେଇ ମହେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।





