ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଜାମ୍ମୁ କାଶ୍ମୀରର ଶୋପିଆଁରେ ଆତଙ୍କବାଦୀ ଦୁଇ ଜଣ କାଶ୍ମୀରୀ ପଣ୍ଡିତଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସୁନୀଲ ଭଟ୍ଟଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ କାଶ୍ମୀରୀ ପଣ୍ଡିତ ପିଣ୍ଟୁ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀ ସଂଗଠନ କାଶ୍ମୀର ଫ୍ରିଡମ ଫାଇଟର୍ସ (କେଏଫଏଫ) ଏହି ଆକ୍ରମଣ ପାଇଁ ନିଜକୁ ଦାୟି କରିଛି । ଆତଙ୍କୀ ସଂଗଠନର କହିବା ଅନୁସାରେ, ତ୍ରିରଙ୍ଗା ରାଲିରେ ସୁନୀଲ ଭଟ୍ଟ ସାମିଲ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆତଙ୍କୀମାନେ ସୁନୀଲ ଭଟ୍ଟଙ୍କୁ ଆକ୍ରମଣ କରିବା ପୂର୍ବରୁ ତାଙ୍କ ନାଁ ପଚାରିଥିଲେ ଏବଂ ପରେ ମାରିଥିଲେ । ଘଟଣା ପରେ ଲୋକଙ୍କ ମଧ୍ୟରେ ବେଶ ଆକ୍ରୋଶ ଦେଖିବାକୁ ମିଳିଛି । ସୁଲୀନ ଭଟ୍ଟଙ୍କ ଚାରି ଝିଅ ଅଛନ୍ତି । ସୁନୀଲଙ୍କ ହତ୍ୟା ପରେ ପୂରା ପରିବାର ଭୟରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, କାଶ୍ମୀରରେ ବର୍ତ୍ତମାନ ସମୟରେ ଟାର୍ଗେଟ କିଲିଂ ଘଟଣା ବଢି ଚାଲିଛି । ମେ ୧୨ରେ ସରକାରୀ କର୍ମଚାରୀ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ମେ ୧୭ରେ ୫୨ ବର୍ଷୀୟ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା । ମେ ୨୫ରେ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ଗଡଗାଓଁରେ ହତ୍ୟା କରାଯାଇଥିଲା । ମେ ୩୧ରେ କୁଲଗାମରେ ଜଣେ ଶିକ୍ଷକ ରଜନୀ ବାଲାଙ୍କୁ ଟାର୍ଗେଟ କରାଯାଥିଲା । ଜୁନ ୨ରେ ୧୭ ବର୍ଷୀୟ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ଅଗଷ୍ଟ ୪ରେ ଧାରା ୩୭୦ ଉଚ୍ଛେଦର ଠିକ ଗୋଟିଏ ଦିନ ପୂର୍ବରୁ ପୁଲୱାନାରେ ବିହାର ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା ।





