ଭୋପାଳ, (ବାଘୁଆବାର୍ତ୍ତା): ଯୋଗୀର ଭୋଗୀ ଚେହେରା। ବୈରବଗ୍ୟାନନ୍ଦ ଓରଫ ମିର୍ଚ୍ଚି ବାବାଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶର ଭୋପାଳ ମହିଳା ପୁଲିସ। ସିଦ୍ଧ ପୁରୁଷର କାମୁକତା ଧରାପଡ଼ିଯାଇଛି। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିର୍ଚ୍ଚି ବାବା ଗିରଫ ହୋଇଛି। ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କର କୌଣସି ପିଲାପିଲି ହେଉ ନଥିବାରୁ ସେ ବାବାଙ୍କ ପାଖକୁ ଯାଇଥିଲେ। ଏହାର ଫାଇଦା ଉଠାଇ ବାବା ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ମିର୍ଚ୍ଚି ବାବା ଲୋକଲୋଚନକୁ ଆସିଥିଲେ। କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ସେ ମିର୍ଚି ଯୋଗ କରିଥିବାରୁ ଲୋକେ ତାଙ୍କୁ ସେହି ନାଁରେ ଡାକିଥିଲେ। ତେବେ ବାବା କୁକର୍ମ ଘଟାଇବା ପରେ କାହାକୁ ନ କହିବାକୁ ହତ୍ୟା ଧମକ ଦେଇଛନ୍ତି ବୋଲି ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ମହିଳା ଜଣଙ୍କ ସୋମବାର ଭୋପାଳ ମହିଳା ଥାନାରେ ଅଭିଯୋଗ କରିଥିଲେ। ମାମଲାକୁ ଭିତ୍ତି କରି ଅଭିଯୁକ୍ତ ବାବା ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଆଇପିସି ଧାରା ୩୭୬,୫୦୬ ଏବଂ ୩୪୨ ଲଗାଯାଇଛି। ସୋମବାର ବିଳମ୍ବିତ ରାତିରେ ଗ୍ୱାଲିୟରରୁ ମିର୍ଚ୍ଚି ବାବାକୁ ଗିରଫ କରି ଭୋପାଳ ଅଣାଯାଇଛି।





