କରଞ୍ଜିଆ, (ବାଘୁଆବାର୍ତ୍ତା): ବେଆଇନ କାଠ ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ। କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ। ଜଣେ ଗିରଫ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସାତକୋଶିଆ ରେଞ୍ଜର ଜାମୁନୋଡ଼ା ଅଞ୍ଚଳରୁ ଏକ ପିକଅପ୍ ଭ୍ୟାନ୍ ଯୋଗେ ୮ଟି କାଠଗଣ୍ଡି ଚୋରାଚାଲାଣ ହେଉଥିଲା। ଏହି ସମୟରେ ସାତକୋଶିଆ ରେଞ୍ଜର ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଜାମୁନୋଡା ନିକଟରୁ କାଠ ବୋଝେଇ ଗାଡି ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଏହା ସହ ପିକଅପ୍ ଭ୍ୟାନ୍କୁ ଏସକର୍ଟ ଦେଇ ଯାଉଥିବା ଏକ କାର୍ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି। ଏହି ଅଞ୍ଚଳରୁ ବିଭିନ୍ନ ସମୟରେ ଚୋରା କାଠ ଚାଲାଣ ନେଇ ଅଭିଯୋଗ ଆସୁଥିବା ବେଳେ ବନ ବିଭାଗ କାଠ ଚାଲାଣକାରୀକୁ ଧରିବାରେ ସକ୍ଷମ ହୋଇଛି।





