କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ସମ୍ପର୍କର ମର୍ୟ୍ୟାଦାକୁ ଭୁଲିଯାଇ ମାଇଁ-ଭଣଜା ଚୋରା ପ୍ରେମରେ ମାତିଥିଲେ । ମାଇଁ-ଭଣଜା ହୋଇଥିବାରୁ କେହି ସନ୍ଦେହ ଚକ୍ଷୁରେ ଦେଖୁନଥିଲେ । ପରେ ପରିବାର ଲୋକଙ୍କ ନଜରରେ ଏକାଧିକ ବାର ପଡ଼ିବାରୁ ସେମାନଙ୍କୁ ଆକଟ କରିଥିଲେ । ପାପ ପ୍ରଣୟରୁ ଦୂରେଇ ରହିବାକୁ ଦୁହିଁଙ୍କୁ ପରାମର୍ଶ ଦେଇଥିଲେ । ହେଲେ ସେଥିରେ କିଛି ଫରକ ପଡ଼ିନଥିଲା । ମାମୁ ଏଥିରେ ବିରୋଧ କରିବାରୁ ପତ୍ନୀ ଓ ଭଣଜାଙ୍କ ଟାର୍ଗେଟ୍କୁ ଚାଲି ଆସିଥିଲେ । ବିରୋଧ ବଢ଼ୁଥିବା ଦେଖି ଉଭୟ ଯୋଜନାବନ୍ଧ ଭାବେ ମାମୁଙ୍କୁ ରାସ୍ତାକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଛକରେ ବସିଥିବା ବେଳେ ସେମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ନଜରକୁ ଆସିଛି । ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ତାଙ୍କର ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ସ୍ୱାମୀ ଅବା ତାଙ୍କ ପରିବାରର କେହି ଏତଲା ଦେବା ଆଗରୁ ପତ୍ନୀ ଆଗୁଆ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ସ୍ୱାମୀ ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ନିଶାସକ୍ତ ହୋଇ ଅବାଟକୁ ଚାଲିଯାଇଛନ୍ତି । ତେଣୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଉ ବୋଲି ଦାଏର ଏତଲାରେ ଦର୍ଶାଇଛନ୍ତି । ଯାହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଡେରାବିଶ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବ୍ୟକ୍ତି ସପରିବାର ରହିଆସୁଛନ୍ତି । କିଛି ମାସ ହେବ ତାଙ୍କ ପତ୍ନୀଙ୍କ ସହ ଭଣଜାଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିବାରୁ ଦମ୍ପତ୍ୟ ଜୀବନରେ କଳହ ଦେଖାଯାଇଥିଲା । ପ୍ରଥମେ ସେ ଓ ତାଙ୍କ ପରିବାର ସଦସ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ସନ୍ଦେହ ଚକ୍ଷୁରେ ଦେଖୁନଥିଲେ । ହେଲେ ସେମାନଙ୍କ ମଧ୍ୟରେ ଅତ୍ୟଧିକ ମିଳାମିଶା ଓ ଚାଲିଚଳଣରେ ଫରକ ଦେଖାଯିବାରୁ ସନ୍ଦେହ ବଢ଼ିଥିଲା । ପରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ ସ୍ୱାମୀ ଓ ପରିବାର ଲୋକଙ୍କ ସନ୍ଦେହ ଠିକ୍ ବୋଲି ପ୍ରମାଣିତ ହୋଇଥିଲା । ଭଣଜାଙ୍କ ପରିବାର ଲୋକଙ୍କୁ ଏନେଇ ଅବଗତ କରାଯିବାରୁ ତାଙ୍କୁ ମାଇଁଙ୍କ ସହ ମିଶିବାକୁ ବାରଣ କରାଯାଇଥିଲା । ହେଲେ କିଛି ଦିନ ପରେ ସଂପୃକ୍ତ ମହିଳା ପୁଣି ସ୍ୱାମୀଙ୍କ ଅନୁପସ୍ଥିତିରେ ଭଣଜାଙ୍କୁ ଡାକି ତାଙ୍କ ସହ ସମ୍ପର୍କ ରଖିଥିଲେ । ସ୍ୱାମୀଙ୍କ ପାଖରେ ଏହି ଖବର ପହଞ୍ଚିବାରୁ ସେ ସେମାନଙ୍କୁ ଗାଳିଗୁଲଜ କରିବା ସହ କଡ଼ା ଭାଷାରେ ତାଗିଦ୍ କରିଥିଲେ । ହେଲେ ଏଥିରେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ସ୍ୱାମୀଙ୍କ ଆଡୁ ଘୋର ବିରୋଧ ହେଉଥିବା ଦେଖି ଭଣଜାଙ୍କ ସହ ମିଶି ତାଙ୍କୁ ରାସ୍ତାରୁ ହଟାଇବାକୁ ସ୍ତ୍ରୀ ଯୋଜନା କରିଥିଲେ । ସ୍ୱାମୀ ଆଜି ସ୍ଥାନୀୟ ଛକରେ ବସିଥିବା ବେଳେ ତାଙ୍କ ଉପରେ ସେମାନେ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ଡାହାଣ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।





