କାମାକ୍ଷାନଗର, (ବାଘୁଆବାର୍ତ୍ତା): ବଧୂହତ୍ୟା ଅଭିଯୋଗ । ସବୁବେଳେ ଦେଉଥିଲେ ନିର୍ୟାତନା ଆଉ ଶେଷରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁସପାଳ ଗ୍ରାମ ପୁରୁଣାପାଣି ସାହିରୁ । ସୂଚନାଯୋଗ୍ୟ ଯେ, ପ୍ରାୟ ୧୦ବର୍ଷ ପୂର୍ବେ ପୁରୁଣାପାଣି ସାହିର ଘନଶ୍ୟାମ ବିଶ୍ବାଳଙ୍କ ପୁଅ ସୂର୍ୟ୍ୟମଣି ବିଶ୍ବାଳ ହିନ୍ଦୋଳ ଥାନା ବିଲେଇଖଳି ଗାଁର ଛଇଳ ଗଡନାୟକଙ୍କ ଝିଅ ସୁନୀତା ଗଡନାୟକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପ୍ରଥମ ଦିନରୁ ସୁନୀତାଙ୍କୁ ଶାଶୁଘର ଲୋକ ନିର୍ୟାତନା ଦେଉଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ବାପଘର ଲୋକେ ଆସି ବୁଝାସୁଝା କରି ସମାଧାନ କରି ଯାଆନ୍ତି । ଆଉ ମଙ୍ଗଳବାର ଭୋର ବେଳକୁ ବାପଘର ଲୋକ ଖବର ପାଇଲେ ଝିଅର ମୃତ୍ୟୁ ହୋଇଯାଇଛି । ଏପଟେ ଶାଶୁଘର ଲୋକେ କହୁଛନ୍ତି ବେକରେ ଲୁଗା ବାନ୍ଧି ଗଛରେ ଝୁଲି ବୋହୂ ଆତ୍ମହତ୍ୟା କରିଛି । କିନ୍ତୁ ଝିଅର ପରିବାର ଲୋକେ ଆସି ଦେଖିଲା ବେଳକୁ ମୃତଦେହ ଘର ଚଟାଣରେ ଅଛି ଆଉ ବେକରେ ଦାଗ ମଧ୍ୟ ଅଛି । ବାଡି ପଛପଟେ ସାଗୁଆନ ଗଛରେ ଲୁଗା ବନ୍ଧା ହୋଇ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ତେଣୁ ତାକୁ ସ୍ବାମୀ ଓ ଶାଶୁଘର ଲୋକେ ମିଶି ହତ୍ୟା କରିଥିବା କାମାକ୍ଷାନଗର ଥାନାରେ ବାପଘର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମୃତକଙ୍କ ସ୍ବାମୀ ସୂର୍ୟ୍ୟମଣିଙ୍କୁ ଥାନାରେ ଅଟକ ରଖି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି ।





