ଉମରକୋଟ, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅବକାରୀ ବିଭାଗ ଦ୍ବାରା ୧୪ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଦୁଇ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଛି । ଗିରଫ ଦୁଇ ଜଣ ହେଲେ ଝରିଗାଁ ବ୍ଲକ୍ ଅନ୍ତର୍ଗତ ଧୋଡ୍ରା ଗ୍ରାମର ଅମର ରୟ ଏବଂ ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ଗୁଲିପାଟଣାର ଲକ୍ଷ୍ମଣ ରେଲି । ଅବକାରୀ ପୋଲିସ ଅମର ରୟଙ୍କଠାରୁ ୧୦କେଜି ଏବଂ ଲକ୍ଷ୍ମଣ ରେଲିଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ବୋଲି ଅବକାରୀ ନିରୀକ୍ଷକ ହରିହର ସିଂ ପ୍ରକାଶ କରିଛନ୍ତି । ଏମାନଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଅବକାରୀ ବିଭାଗ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ତେବେ ବୁଧବାର ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଆଗକୁ ମଧ୍ୟ ଏହିପରି ଚଢାଉ ଜାରି ରହିବ ଏବଂ ନିଶା ମାଫିଆଙ୍କୁ ଧରିବାକୁ ପ୍ରୟାସ ଜାରି ରହିବ ବୋଲି ଅବକାରୀ ନିରୀକ୍ଷକ କହିଛନ୍ତି ।





