ନୟାଗଡ଼, (ବାଘୁଆବାର୍ତ୍ତା): ଗୁରୁ ଓ ଛାତ୍ରଛାତ୍ରୀ ଏକ ପବିତ୍ର ସମ୍ପର୍କ । ଆଜିକାର ଦୁନିଆରେ କିଛି ଅପବିତ୍ର ଶିକ୍ଷକଙ୍କ ଲାଗି ଗୁରୁକୁଳ ନିନ୍ଦିତ ହେବାକୁ ଲାଗୁଛି । ଗୁରୁ ଏକ ପବିତ୍ର ଶବ୍ଦ ହେଲେ ଏହି ଶବ୍ଦ ଏବେ ହୋଇପଡିଛି ଅପବିତ୍ର । ଶିକ୍ଷା ଦେବତାଙ୍କ ନାଁ ଲାଗିଛି କଳଙ୍କ । ଏହି ଶିକ୍ଷକ ଜଣକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ କିଭଳି ଯୌନ ଶୋଷଣ କରୁଥିଲେ ତାହାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧିନସ୍ଥ ନନ୍ଦିଘୋର ଗ୍ରାମର ରାଜେଶ ବେହେରା । ରାଜେଶ ଏବେ ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି । ରାଜେଶ ଆଜକୁ ଦେଢବର୍ଷ ପୂର୍ବେ ଟ୍ୟୁସନ କରିବା ସମୟରେ ଏକାଧିକ ଛାତ୍ରୀ ମାନଙ୍କୁ ଯୌନ ଶୋଷଣ କରୁଥିଲେ । ସେ-ସବୁକୁ ନିଜ ମୋବାଇଲରେ ଫଟୋସୁଟ୍ କରି ରଖୁଥିଲେ । ଏକଥା ନାବାଳିକା ଛାତ୍ରୀମାନେ ଭୟଭ୍ରାନ୍ତି ଯୋଗୁଁ ପରିପ୍ରକାଶ କରିନଥିଲେ । ଏତିକିରେ ରାଜେଶର ମନ ବୁଝିନଥିଲା । ପରେ ପୁଣି ସେହି ଛାତ୍ରୀମାନଙ୍କୁ ପୁଣି ଯୌନକ୍ଷୁଧା ମେଣ୍ଟାଇବା ପାଇଁ ବ୍ଲାକ୍-ମେଲ୍ କରିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ଏହି ପିଡୀତାମାନେ ବଦମାସ ଶିକ୍ଷକ ରାଜେଶ କଥାରେ ଅମଙ୍ଗ ହୋଇଥିଲେ । ସେତେବେଳେ ରାଜେଶ ନିଜ ପାଖରେ ରଖିଥିବା ଛାତ୍ରୀମାନଙ୍କର ନଗ୍ନ ଫଟୋ ଏବଂ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ/ଭିଡିଓ ଭାଇରାଲ କରିଥିଲା । ଏଭଳି ଅଭିଯୋଗକୁ ଭିତ୍ତିକରି ରଣପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଦୁଇ ଛାତ୍ରୀଙ୍କ ପରିବାର ପକ୍ଷରୁ ରଣପୁର ଥାନାରେ ଅଭିଯୋଗ କରାଯାଇଥିବାରୁ ୧୭୯/୨୨ ଓ ୧୮୦/୨୨ କେସ ରୁଜ କରାଯାଇ ଅଭିଯୁକ୍ତ ତଥା ରସିକିଆ ମାଷ୍ଟର ରାଜେଶ ବେହେରାକୁ ପୋଲିସ ଗିରଫ କରିଛି । ଆଜି ରସିକିଆ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି । ବେଲ ନାମାଞ୍ଜୁର ହେବାରୁ ଜେଲ ଯାଇଥିବା ଜଣା ପଡିଛି ।





