ଆନନ୍ଦପୁର, (ବାଘୁଆବାର୍ତ୍ତା): ଆନନ୍ଦପୁରରୁ ଚୋରି ଟ୍ରକ ସୋର ଅଞ୍ଚଳରୁ ଉଦ୍ଧାର । ଦୁଇ ଅଭିଯୁକ୍ତ ଗିରଫ । ଆନନ୍ଦପୁର ଉପଖଣ୍ଡ ଦଧିବାମନପୁର ଗ୍ରାମର ଜଣେ ଡ୍ରାଇଭର ତାଙ୍କ ନିଜଘର ଆଗରେ ଟ୍ରକ ରଖିଥିଲେ। ଟ୍ରକରେ ଡ୍ରାଇଭରଙ୍କର ଜଣେ ସମ୍ପର୍କୀୟ ଶୋଇଥିଲେ । ଗତ ୨୨ ତାରିଖ ବିଳମ୍ବିତ ରାତିରେ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ହାତଗୋଡ଼ ବାନ୍ଧି ଟ୍ରକକୁ ଦୁର୍ବୃତ୍ତମାନେ ନେଇଯାଇଥିଲେ । ଟ୍ରକ ଚୋରୀ ବେଳେ ଟ୍ରକରେ ଶୋଇଥିବା ବ୍ୟକ୍ତିଙ୍କ ହାତ ଗୋଡ଼ ବାନ୍ଧି ଯାଜପୁର ରୋଡ ରାସ୍ତା କଡରେ ଅପହର୍ତ୍ତାମାନେ ଫୋପାଡ଼ି ଦେଇଥିଲେ। ଅନେକ ଖୋଜାଖୋଜି ପରେ ଟ୍ରକଟି ସୋର ଅଞ୍ଚଳରେ ଥିବା ପୋଲିସ ଖବରପାଇଥିଲା। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ପୋଲିସ ଚଢ଼ାଉ କରି ଟ୍ରକକୁ ଜବତ କରିବା ସହିତ ସୋର ଥାନା ଭରଡ଼ାଗଡ଼ିଆର ମୁଖ୍ୟ ଅଭିଯୁକ୍ତ ତାପସ ନାୟକ ଓ ମଙ୍ଗଳପୁର ଅଂଚଳର ରାଜୁ ଜେନାକୁ ଅଟକ ରଖିଛି। ଅଟକ ଥିବା ଦୁଇଜଣଙ୍କ ପାଖରୁ ମାରଣାସ୍ତ୍ର ସହିତ ଦୁଇଟି ବାଇକ ଓ ଗୋଟିଏ କାର୍ ଜବତ କରାଯାଇଛି। ଘଟଣା ପଛରେ ଏକ ବଡ଼ ରାକେଟ ଥିବା ସନ୍ଦେହ କରି ଅଧିକ ତଦନ୍ତ କରୁଛି ପୋଲିସ।





