ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ରାଇକିଆ ଥାନା ଅନ୍ତର୍ଗତ ଡଡ଼ଙ୍ଗିଆ ରାସ୍ତାକଡରେ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଲୋକେ ଦେଖିଵା ପରେ ସମ୍ପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଯେ ଯୁବତୀ ଜଣଙ୍କ ନିକଟସ୍ଥ ବୁଡ଼ିଅପାଙ୍ଗ । ଗ୍ରାମର କିଶୋର ପ୍ରଧାନଙ୍କ ଝିଅ ରଞ୍ଜିତା ପ୍ରଧାନ । ଗୁରୁବାର ରଂଜିତା କୌଣସି କାର୍ୟ୍ୟରେ ଫୁଲବାଣୀ ଆସିଥିଲେ । କାମ ସାରି ଘରକୁ ବସ ଯୋଗେ ଫେରୁଥିବା ନେଇ ଫୋନ କରି ଜଣାଇଥିଲେ । ହେଲେ ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ରଂଜିତାଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା । ଶୁକ୍ରବାର ସକାଳେ ରଂଜିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଡ଼ଡ଼ଙ୍ଗିଆ ରାସ୍ତାକଡରେ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏ ନେଇ ପୋଲିସକୁ ଜଣାଇବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଘଟଣାର ଛାନଭିନ କରୁଛି । ଦୁର୍ବୃତ୍ତମାନେ ଦୁଷ୍କର୍ମ ପରେ ହତ୍ୟା କରି ରାସ୍ତାକଡ଼ରେ ଫୋପାଡ଼ି ଦେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଵେ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ମିଳିବ ବୋଲି ତଦନ୍ତକାରୀ ଟିମ କହିଛି ।





