ଚାନ୍ଦବାଲି, (ବାଘୁଆବାର୍ତ୍ତା): ଯୌତୁକ ଜୁଇରେ ଜଳିଲା ନବବଧୂ । ଭାଙ୍ଗିଗଲା ସୁପ୍ରିୟା ଦେଖିଥିବା ସୁନାର ସ୍ୱପ୍ନ । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଜନମ ଜନମ ପାଇଁ ସ୍ୱାମୀ ପ୍ରତାପର ହାତ ଧରିଥିଲା ସୁପ୍ରିୟା । ହେଲେ ଆଜି ଯୌତୁକ ପାଇଁ ଯାଇଛି ସେହି ନବବଧୂର ଜୀବନ । ସ୍ୱାମୀ ସମେତ ଶାଶୁ, ପିଇସୀ ଶାଶୁ ଓ ନଣନ୍ଦ ପ୍ରମୁଖ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାହାରପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନବବଧୂ ପ୍ରତାପ ପାଢୀଙ୍କ ସ୍ତ୍ରୀ ସୁପ୍ରିଆ ପାଢୀ ବୋଲି ଜଣାଯାଇଛି । ଚଳିତ ବର୍ଷ ଫେବୃଆରୀ ମାସ ୬ ତାରିଖରେ ତିହିଡି ଥାନା ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆ ବୈଦିକ ୠତିରେ ଯାନିଯୌତୁକ ସହିତ ପ୍ରତାପ ପାଢୀକୁ ବିବାହ କରିଥିଲା । ମାତ୍ର ବିବାହର କିଛି ଦିନ ପରେ ସ୍ୱାମୀଙ୍କ ସମେତ ପରିବାର ଲୋକେ ଯୌତୁକ ଜନିତ ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଇ ଆସୁଥିଲେ । ଏପରିକି ସେମାନେ ସୁପ୍ରିଆର ବ୍ୟବହୃତ ମୋବାଇଲକୁ ପିଟି ପିଟି ଭାଙ୍ଗି ଦେଇଛନ୍ତି । ତିହିଡି ମେଡିକାଲରେ ସୁପ୍ରିଆକୁ ଭର୍ତ୍ତି କରାଯାଇ ଥିବା ବାପଘର ଲୋକେ ଖବର ପାଇ ଆସି ଦେଖନ୍ତି ତ, ସେ ଆଉ ଜୀବନରେ ନାହିଁ । ଶୋଇବା ଘରେ ଫ୍ୟାନ୍ରେ ରଶି ଲଗାଇ ସୁପ୍ରିଆ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକଙ୍କ ବୟାନକୁ ବାପ ଘରଲୋକେ ଅସ୍ୱିକାର କରିଛନ୍ତି । ଏହାସହିତ ସୁପ୍ରିୟାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ସୁପ୍ରିୟା ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ୧୦୯/୨୨, ଦଫା ୩୦୨, ୩୦୪(ବି), ୪୯୮(ଏ) ଓ ୩୪ ଆଇପିସି ରୁଜୁ କରିଛି । ଏହା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସ୍ୱାମୀ ପ୍ରତାପ ପାଢ଼ୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।





