ଢେଙ୍କାନାଳ, (ବାଘୁଆବାର୍ତ୍ତା): ଜମି ମାଲିକ ଜାଣିପାରୁନି । ମାତ୍ର ଏପଟେ ଜମିକୁ ଦଲାଲ ମାନେ ସବ ରେଜିଷ୍ଟାର ସଲାସୁତୁରାରେ ବିକ୍ରି କରିଦେଇଛନ୍ତି । ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ପରେ ଏପରି ଏକ ଘୋଟାଲାର ପର୍ଦ୍ଦାଫାସ ହୋଇଛି । ଫଳରେ ଟାଉନ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଦଲାଲି ଗୋଷ୍ଠୀ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ କଟକ ମାନପୁର ଥାନା ଅଂଚଳର ଗୋଲାପ ନାୟକ, ଢେଙ୍କାନାଳ ଟାଉନର ଅସଫାର ଖାଁ,ଦିବ୍ୟଲୋଚନ ବେହେରା,ରମେଶ ମଲ୍ଲିକ ଓ ତ୍ରିଲୋଚନ ସ୍ବାଇଁ। ସେମ୍ବଙ୍କ ଠାରୁ ପୁଲିସ ଦୁଇ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ ପୂର୍ବତନ ସବ ରେଜିଷ୍ଟାର ତଥା ବର୍ତ୍ତମାନର ଭୂ ଅଧିଗ୍ରହଣ ଅଧିକାରୀ ସୃତି ରଞ୍ଜନ ମହାପାତ୍ରଙ୍କୁ ଟାଉନ ଥାନା ପୁଲିସ ଅଟକ ରଖିଛି । ତେବେ ଏହି ଜମି ଘୋଟାଲାର ଦୁଇ କିଙ୍ଗ ପିନ ଫେରାର ଥିବା ବେଳେ ଟାଉନ ପୁଲିସ ଛାନ ଭିନ ଆରମ୍ଭ କରିଛି । ଅଭିଯୋଗ ମୁତାବକ କଟକରେ ରହୁଥିବା ସଦର ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମର ଉର୍ବଶୀ ମହାନ୍ତିଙ୍କ ଦକ୍ଷିଣକାଳୀ ଅଂଚଳର ଅଢେଇ ଗୁଣ୍ଠ ଜାଗାକୁ ଗତ ଜାନୁଆରୀ ମାସରେ ତାଙ୍କ ଅଗୋଚରରେ ସେତେବେଳେ ଦାୟିତ୍ଵରେ ଥିବା ଢେଙ୍କାନାଳ ସବ ରେଜିଷ୍ଟାର ସ୍ମୃତି ରଂଞ୍ଜନ ମହାପାତ୍ରଙ୍କ ସଲାସୁତୁରାରେ ଏହି ଦଲାଲ ମାନେ ଅନ୍ୟ ଜଣଙ୍କୁ ୬୫ ଲକ୍ଷରେ ବିକ୍ରି କରିଦେଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଉନ ଥାନାରେ ଜମି ମାଲିକ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।





