ଜଳେଶ୍ଵର, (ବାଘୁଆବାର୍ତ୍ତା): ଗୋରୁ ବୋଝେଇ ଗାଡି ଡ୍ରାଇଭର୍ ଆକ୍ରମଣରେ କନେଷ୍ଟବଳ ଗୁରୁତର। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଧିତପୂରା ଠାରେ ଏଭଳି ଘଟଣା ଘଟିଛି। ଏକ ଟାଟା ଏସି ଗାଡ଼ିରେ ଗୋରୁ ବୋଝେଇ ହୋଇ ଚୋରାଚାଲାଣ ହେଉଥିବା ଖବର ପାଇ ଘଟଣାସ୍ଥଳରେ ଅମର୍ଦା ଫାଣ୍ଡିର ପୋଲିସ କର୍ମଚାରୀ ପହଁଚି ଗାଡିକୁ ଜବତ କରିଥିଲେ। ଏହି ସମୟରେ ଗୋରୁ ଗାଡି ଡ୍ରାଇଭର୍ଙ୍କ ଭୁଜାଲି ଆକ୍ରମଣରେ ଜଣେ କନେଷ୍ଟବଳ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଏକ ଟାଟା ଏସି ଗାଡ଼ିରେ ଗୋରୁ ବୋଝେଇ ହୋଇ ଚୋରାଚାଲାଣ ହେଉଥିବା ଖବର ପାଇ ବସ୍ତା ଥାନା ଧିତପୂରା ଠାରେ ଅମର୍ଦା ଫାଣ୍ଡିର ପୋଲିସ କର୍ମଚାରୀ ପହଁଚି ଗାଡିକୁ ଜବତ କରିଥିଲେ। ଏହାପରେ ଗୋରୁମାନଙ୍କୁ ବାଲେଶ୍ୱର ଗୋଶାଳାରେ ଛାଡିବା ପାଇଁ ଡ୍ରାଇଭର ନମିଳିବାରୁ ଉକ୍ତ ଡ୍ରାଇଭରଙ୍କ ସାହାଯ୍ୟରେ ଗୋରୁଙ୍କୁ ଗୋଶାଳାରେ ଛାଡି ଫେରୁଥିଲେ। ଏତିକି ବେଳେ ୬୦ନଂ ଜାତୀୟ ରାଜପଥ ହଳଦୀପଦା ଠାରେ ହଠାତ୍ ଗାଡି ଡ୍ରାଇଭର ସିଟ୍ ତଳୁ ଏକ ଭୁଜାଲି ବାହାର କରି କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ। ଫଳରେ ଜୀବନ ବଞ୍ଚାଇବା ପାଇଁ କନେଷ୍ଟବଳ ଗାଡିରୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅପର ପକ୍ଷରେ ଡ୍ରାଇଭର୍ ଜଣଙ୍କ ଗାଡି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଗୁରୁତର କନେଷ୍ଟବଳଙ୍କୁ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।





