ଜଗତସିଂହପୁର, (ବାଘୁଆବାର୍ତ୍ତା): ଅନ୍ଲାଇନ ଜରିଆରେ ମାତ୍ର ୩ ହଜାର ଟଙ୍କା ଋଣ କରି ଫସି ଯାଇଛନ୍ତି ସ୍ଥାନୀୟ ଖେରସ ଅଞ୍ଚଳର ଜଣେ ଯୁବତୀ। ଋଣର ମୂଳ ଟଙ୍କା ସହ ସୁଧ ପଇଠ ସତ୍ତେ୍ୱ ଏବେ ପୁଣି ଅଧିକ ଟଙ୍କା ଦାବି କରୁଛି ଉକ୍ତ ଠକେଇ ସଂସ୍ଥା । ଏମିତିକି ଟଙ୍କା ଭରଣା ନକଲେ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ୍ କରାଯିବାର ଧମକ ମଧ୍ୟ ଦିଆଯାଉଛି । ଏହା ଭିତରେ ସଂପୃକ୍ତା ଯୁବତୀଙ୍କ ହ୍ୱାଟ୍ସଆପ୍ ନମ୍ବରକୁ କେତେକ ଅଶ୍ଳୀଳ ଫଟୋ ଛଡ଼ା ଗଲାଣି । ଯୁବତୀଙ୍କ ମୁହଁକୁ ଯୋଡ଼ି ଏସବୁ ଅଶ୍ଳୀଳ ଫଟୋ କିଛି ନିର୍ଦ୍ଧିଷ୍ଟ ମୋବାଇଲ୍ ଫୋନ୍ ନମ୍ବରରୁ ପୋଷ୍ଟ୍ କରାଯାଉଥିବା ନେଇ ସଂପୃକ୍ତା ଯୁବତୀ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସୂଚନା ମୁତାବକ, ଖେରସ ଗ୍ରାମର ସଂପୃକ୍ତା ଯୁବତୀ ଜଣେ ବିଧାୟକଙ୍କ ନିକଟ ସଂପର୍କୀୟା । ଗତମାସ ୨୦ ତାରିଖରେ ସେ ଅନ୍ଲାଇନ୍ ଜରିଆରେ ଏକ ଆପ୍ଲିକେସନ୍କୁ ନିଜ ମୋବାଇଲ ଫୋନ୍ରେ ଡାଉନ୍ଲୋଡ୍ କରିଥିଲେ । ଇନ୍ଷ୍ଟାଣ୍ଟ୍ ଲୋନ୍ ନାମକ ଏକ ସଂସ୍ଥାର ଉକ୍ତ ଆପ୍ଲିକେସନ୍ଟି ରହିଥିଲା । ପରେ ସେ ଏହି ଆପ୍ଳିକେସନ୍କୁ ଯାଇ ୩ ହଜାର ଟଙ୍କାର ଋଣ ଆବେଦନ କରିଥିଲେ । କିନ୍ତୁ ଆବେଦନର ସପ୍ତାହେ ପରେ ଯୁବତୀଙ୍କ ବ୍ୟାଙ୍କ ଜମାଖାତାକୁ ମାତ୍ର ୧୮୦୦ ଟଙ୍କା ଆସିଥିଲା । ତେବେ ଗତମାସ ୨୭ ତାରିଖରେ ଯୁବତୀ ୧୧୪୦ ଟଙ୍କା ସଂପୃକ୍ତ ସଂସ୍ଥା ଜମାଖାତାରେ ଅନ୍ଲାଇନ୍ ମାଧ୍ୟମରେ ଭରଣା କରିଥିଲେ । ଚଳିତ ମାସ ୩ ଓ ୧୧ ତାରିଖରେ ଅଧିକ ଦୁଇ କିସ୍ତିରେ ୧୮୬୦ ଓ ୧୧୪୦ ଟଙ୍କା ପଇଠ କରି ନିଜ ଋଣ ଆକାଉଣ୍ଟକୁ ବନ୍ଦ କରିଥିଲେ । ଅର୍ଥାତ ୧୮୦୦ ବଦଳରେ ଏବେ ସୁଦ୍ଧା ସଂପୃକ୍ତା ଯୁବତୀ ୪୧୪୦ ଟଙ୍କା ଦେଇ ସାରିଥିଲେ ସୁଦ୍ଧା ଉକ୍ତ ଠକେଇ ସଂସ୍ଥା ଅଧିକ ଟଙ୍କା ଜୁଲମ ଆରମ୍ଭ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସଂପ୍ରତ୍ତି ୪ଟି ମୋବାଇଲ୍ ଫୋନ୍ ନମ୍ବର ଜରିଆରେ ଯୁବତୀଙ୍କୁ ଏକ ପ୍ରକାର ବ୍ଲାକମେଲ କରାଯାଉଛି । ଟଙ୍କା ନଦେଲେ ଜୀବନକୁ ମାଟି କରିଦେବାର ଧମକ ଦିଆଯାଉଛି । ସଂସ୍ଥାର ଏଭଳି ଧମକପୂର୍ଣ୍ଣ କଥାକୁ ବେଖାତିର କରିବା ପରେ ଏବେ ଯୁବତୀଙ୍କ ମୁହଁକୁ ଯୋଡ଼ି କିଛି ଅଶ୍ଳୀଳ ଫଟୋ ଛଡ଼ା ଗଲାଣି, ତାହା ପୁଣି ଯୁବତୀଙ୍କ ହ୍ୱାଟ୍ସଆପ୍ ନମ୍ବରକୁ । ଆଗକୁ ଟଙ୍କା ନଦେଲେ ଏସବୁ ଫଟୋକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରାଯିବାର ନାଲିଆଖି ଦେଖାଗଲାଣି । ଯଦ୍ୱାରା ସଂପୃକ୍ତା ଉଚ୍ଚ ଶିକ୍ଷିତା ଯୁବତୀ ମାନସିକ ଭାବେ ଚିନ୍ତାଗ୍ରସ୍ତ ଏବଂ ଭୟଭୀତ ଅବସ୍ଥାରେ ରହିଛନ୍ତି ।





